ବାତ୍ୟା ‘ରେମାଲ’ର ୨ ଘଣ୍ଟା ଭୀଷଣ ରୂପ; ବର୍ଷିଲା, ଭାଙ୍ଗିଲା, ଓପାଡ଼ିଲା, ଉଡ଼ାଇଲା, ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି

Published By : Prameya-News7 Bureau | May 27, 2024 IST

କୋଲକାତା: ବର୍ଷିଲା, ଓପାଡ଼ିଲା, ଭାଙ୍ଗିଲା, ଉଡ଼ାଇଲା । ବାଂଲାଦେଶ ଓ ପଶ୍ଚିମବଙ୍ଗରେ ବାତ୍ୟା ‘ରେମାଲ’ର ତାଣ୍ଡବ । ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ବିଦ୍ୟୁତ୍ ଖୁଣ୍ଟ ଓପାଡ଼ି ଫିଙ୍ଗିଲା ବାତ୍ୟା । ଘରଦ୍ବାର ଭାଙ୍ଗିବା ସହିତ ବ୍ୟାପକ କ୍ଷତି ପହଞ୍ଚାଇଛି । ରବିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବାତ୍ୟା ରେମାଲର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିଲା । ସ୍ଥଳଭାଗ ଛୁଇଁବା ବେଳେ ଭୀଷଣ ରୂପ ଧାରଣ କରିଥିଲା । ଏହି ସମୟରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିଥିଲା । ସେହିପରି ଝଟକା ପବନ ଘଣ୍ଟା ପ୍ରତି ୧୩୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ଓ ରେସକ୍ୟୁ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପଶ୍ଚିମବଙ୍ଗରେ ପ୍ରାୟ ୧୫୦୦୦ କର୍ମାଚାରୀ ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛକୁ କାଟି ସଫା କରାଯାଉଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷା ଲାଗି ରହିଛି। ସେପଟେ ଭାରତୀୟ ତଟରକ୍ଷୀ ବାହିନୀ ଉପକୂଳ ଉପରେ ନଜର ରଖିଛନ୍ତି । 

ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ରେମାଲ’ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଖୁବଶୀଘ୍ର ଏହା ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଇଏମଡି ସୂଚନା ଦେଇଛି । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ପଶ୍ଚିମବଙ୍ଗର କୋଲକାତା, ହାୱଡା, ହୁଗୁଳି, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା ଓ ପୂର୍ବ ମେଦିନୀପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ସେହିପରି ବାଂଲାଦେଶର ତଳିଆ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ୪ ଜଣକର ମୃତ୍ୟୁ ହୋଇଛି।

ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଚାନ୍ଦବାଲିରେ ୫୧.୯, ପାରାଦୀପରେ ୪୬, ଜଗତସିଂହପୁରରେ ୩୦.୩ ଓ   ବାଲେଶ୍ୱରରେ ୨୫.୨ମିମି ବର୍ଷା ହୋଇଛି ।   ସୋମବାର ବାଲେଶ୍ୱର, କେନ୍ଦୁଝର,  ମୟୂରଭଞ୍ଜ ଓ ଭଦ୍ରକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାତ୍ୟା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବା ପରେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବନି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ସୋମବାର ବାତ୍ୟାର ବିଶେଷ  ପ୍ରଭାବ ରହିବନି । ଖୋର୍ଦ୍ଧାରୁ ବାଲେଶ୍ୱର ଯାଏ ପାଗ ମେଘୁଆ ରହିବ । ତାତି  କମିବ । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ  କୋହଲା ପାଗ ରହିବ । ଉପକୂଳରେ  ହାଲୁକା ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଜୁନ୍‌ ୧ ତାରିଖରେ ବଙ୍ଗୋପସାଗରରେ ପୁଣି  ଏକ ଘୂର୍ଣ୍ଣିବଳୟ ହେବ ବୋଲି ଡ. ପଶୁପାଳକ  କହିଛନ୍ତି । ସେହିଭଳି ୨୮ରୁ ତାତି ବଢ଼ିବ । ୨୮  ଓ ୨୯ ଦୁଇ ଦିନ ଭୁବନେଶ୍ୱରରେ ତାତି ୪୧ରୁ  ୪୨ ଡିଗ୍ରୀ ରହିବ । ୨୯ ସୁଦ୍ଧା ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାତି  ୪୪ ଡିଗ୍ରୀ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.