ଆନ୍ଧ୍ର ମୁହାଁ ବାତ୍ୟା 'ପେଥାଇ' ; ୧୬ରୁ ରାଜ୍ୟରେ ବର୍ଷା, ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | December 15, 2018 IST

ଭୁବନେଶ୍ବର ୧୫|୧୨:  ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ‘ପେଥାଇ’। ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ। ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକ୍କିନଡା ମଧ୍ୟରେ ୧୭ ତାରିଖ ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ବାତ୍ୟା ‘ପେଥାଇ’ ଦ୍ବାରା ଆନ୍ଧ୍ରପ୍ରଦେଶ ଉପକୂଳ ଅଧିକ ପ୍ରଭାବିତ ହେବ।

ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପାଖାପାଖି ରହିବ ଏବଂ ପ୍ରବଳ ବର୍ଷା ମଧ୍ୟ ହେବ । ଏହାର ପ୍ରଭାବରେ ୧୫ ତାରିଖଠାରୁ ଆନ୍ଧ୍ରପ୍ରଦେଶ ଓ ତା‌ମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶ, ତା‌ମିଲନାଡୁ ସମେତ ଓଡିଶା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରିରେ ବି ବାତ୍ୟାର ପ୍ରଭାବ ପଡିପାରେ । ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 

ଏହା ପ୍ରଭାବରେ ରାଜ୍ୟରେ ଶନିବାରଠାରୁ ରାଜ୍ୟରେ କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୭ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଥିବା ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସ୍‌ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳକୁ କୁହାଯାଇଛି। ୬ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି ହୋଇଛି । ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଏହା ପୂର୍ବରୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.