ମଙ୍ଗଳବାର ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜାଉଁ’ : ରାଜ୍ୟରେ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | December 04, 2023 IST

ଭୁବନେଶ୍ୱର ୦୪।୧୨ : ଆସନ୍ତା ୫ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମ୍‌ର ଉତ୍ତରରେ ବାତ୍ୟା ‘ମିଗଜାଉଁ’ ସ୍ଥଳଭାଗକୁ ଅତିକ୍ରମ କରିବ । ସେତେବେଳେ ଏହା ଭୀଷଣ ବାତ୍ୟାର ରୂପ ନେଇଥିବ । ଓଡ଼ିଶାରେ ଏହା ପ୍ରବଳ ବର୍ଷା କରାଇବ । ସୋମବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ବି ଅଛି । ନିର୍ଧୁମ ବର୍ଷା ଯୋଗୁ ଫସଲକୁ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଥିଲା । ବାତ୍ୟା ପ୍ରଭାବରେ ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅଧିକାଂଶ ସ୍ଥାନରେ ୭୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏହାବ୍ୟତୀତ ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକରେ ବି ବର୍ଷିବ ।

୫ରେ ଆହୁରି ନିର୍ଧୁମ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ୭୦ରୁ ୨୦୦ମିମି ଯାଏ ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ଭାରୀ ବର୍ଷା ହେବ । ୭୦ରୁ ୧୧୦ମିମି ବର୍ଷା ହୋଇପାରେ । ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୬ରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୭ ତାରିଖରୁ ରାଜ୍ୟରେ ବର୍ଷା କମିଯିବ ।

wp:embed {"url":"https://www.prameyanews7.com/cyclone-landfall-on-december-5-at-machalipatnam/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cyclone-landfall-on-december-5-at-machalipatnam/
/wp:embed

ତେବେ ବାତ୍ୟାର ସ୍ଥିତିକୁ ନେଇ ପାଣିପାଗର ଅନୁମାନ କରିଛି ଯେ, ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିମି ବେଗରେ ଅଗ୍ରସର ହେଉଛି ବାତ୍ୟା । ପରେ ଏହା ନିଜ ଗତିପଥ ବଜାୟ ରଖି ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗାପସାଗର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ । ପରେ ଏହା ଉତ୍ତର ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତି କରିବ । ୫ ତାରିଖ ସକାଳେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲାର ଓ ମଛଲିପଟନମ୍‌ ମଧ୍ୟରେ ଏକ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପବନର ବେଗ ୧୧୦ କିମି ରହିବ ।

ବାତ୍ୟା ପ୍ରଭାବରେ ୪ ତାରିଖରେ ଓଡ଼ିଶା ଉପକୂଳରେ ୩୫ରୁ ୪୫କିମି ବେଗରେ ପବନ ବହିବ । ପବନର ବେଗ ୫୫କିମି ଯାଏ ଯାଇପାରେ । ୫ ତାରିଖ ସନ୍ଧ୍ୟାରୁ ପବନର ବେଗ ସାମାନ୍ୟ ବଢ଼ିପାରେ । ୪୦ରୁ ୪୫କିମି ବେଗରେ ପବନ ବହିବ । ପବନର ଝଟ୍‌କା ଘଣ୍ଟା ପ୍ରତି ୬୦କିମି ରହିପାରେ । ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ସମୁଦ୍ରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

wp:embed {"url":"https://www.prameyanews7.com/randeep-hooda-lin-laishram-to-host-reception-in-mumbai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/randeep-hooda-lin-laishram-to-host-reception-in-mumbai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.