ତାମିଲନାଡ଼ୁରେ ବାତ୍ୟା ‘ମାଣ୍ଡସ୍’ର ଭୀଷଣ ରୂପ, ମାମଲାପୁରମ୍ ନିକଟରେ ଛୁଇଁଲା ସ୍ଥଳଭାଗ, ୬ଜିଲ୍ଲାରେ ପ୍ରବଳ ବର୍ଷା, ସଜାଗ ସରକାର

Published By : Prameya-News7 Bureau | December 10, 2022 IST

ଚେନ୍ନାଇ: ସ୍ଥଳଭାଗ ଛୁଇଁଲା ବାତ୍ୟା 'ମାଣ୍ଡସ୍' । ଭୀଷ ରୂପ ଧାରଣକରି ଲ୍ୟାଣ୍ଡଫଲ କରିଛି ସାମୁଦ୍ରିକ ଝଡ଼ । ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରେ  ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାମଲାପୁରମ୍ ନିକଟରେ 'ମାଣ୍ଡସ୍' ସ୍ଥଳଭାଗ ଛୁଇଁଛି ।  

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ସାମୁଦ୍ରିକ ଝଡ଼ 'ମାଣ୍ଡସ୍' ତାମିଲନାଡୁର ମାମଲାପୁରମ୍ ନିକଟରେ ଲ୍ୟାଣ୍ଡଫଲ୍ କରିଛି । ସ୍ଥଳଭାଗ ଛୁଇଁବା ପରେ ଏହା ଭୀଷଣ ରୂପ ଧରି ତାଣ୍ଡବ ଆରମ୍ଭ କରିଛି । ତାମିଲନାଡ଼ୁର ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି ବାତ୍ୟା 'ମାଣ୍ଡସ' । ଏହାର ପ୍ରଭାବରେ ତାମିଲନାଡୁର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଘଣ୍ଟାପ୍ରତି ୫୫-୬୫ କିଲୋମିଟର ବେଗରେ ପବନ ବହୁଛି । ଆଗାମୀ ୧ଘଣ୍ଟା ଭିତରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଏଣୁ ଲୋକମାନଙ୍କୁ ଘରୁ ନବାହାରିବାକୁ ସତର୍କ କରାଇଛନ୍ତି ତମିଲନାଡୁ ସରକାର । ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ବର୍ଷା ପାଣି ଭରି ଯାଇଛି । ପବନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଛି ।  

ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷା ଜାରି ରହିଛି । ସାମୁଦ୍ରିକ ଝଡ଼ 'ମାଣ୍ଡସ୍‌'କୁ ନଜରରେ ରଖି ତାମିଲନାଡ଼ୁ ସରକାର ସଜାଗ ହୋଇଛନ୍ତି ।  ତାମିଲନାଡୁର ୧୦ଟି ଜିଲ୍ଲାରେ ଏନଡିଆରଏଫ ଏବଂ ରାଜ୍ୟ ସୁରକ୍ଷାବଳର ୧୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ସରକାର ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ଚେନ୍ନାଇ ଏୟାରପୋର୍ଟରୁ ୧୩ଟି ବିମାନ ଉଡାଣ ବାତିଲ କରି ଦିଆଯାଇଛି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପୁଡ୍ଡୁଚେରୀ ଓ କାରଈକାଲରେ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରଖାଯାଇଛି। ତାମିଲନାଡୁର ତୁତୁକୁଡ଼ି, ତେନି ଏବଂ ସିରୁମଲାଇରେ ବି ବର୍ଷା ଆଶଙ୍କାରେ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.