ବାତ୍ୟା ପ୍ରଭାବରେ ୫ରୁ ପ୍ରବଳ ବର୍ଷିବ: ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ

Published By : Prameya-News7 Bureau | December 02, 2023 IST

ଭୁବନେଶ୍ୱର ୦୨/୧୨: ଲଘୁଚାପ ଘନୀଭୂତ ହୋଇ ଅବପାତ ହୋଇ ସାରିଲାଣି । ଶନିବାରକୁ ହେବ ଗଭୀର ଅବପାତ । ରବିବାର (୩ ତାରିଖରେ) ନେବ ବାତ୍ୟା ରୂପ । ୫ ତାରିଖ ସକାଳେ ମାଡ଼ ହେବ ଆନ୍ଧ୍ର ଉପକୂଳର ନେଲ୍ଲୋରରୁ ମଛଲିପଟ୍ଟନମ ଭିତରେ । ଓଡ଼ିଶାରେ ବାତ୍ୟା ସିଧା ମାଡ଼ ହେବନି । ମାତ୍ର ଏହାର ପ୍ରଭାବ ପଡ଼ିବ ଦକ୍ଷିଣ ଓଡ଼ିଶାରେ ।

ଏବେର ଆକଳନ ଯାହା, ୫/୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଦକ୍ଷିଣ ଓଡ଼ିଶାରେ । ପବନ ହୋଇପାରେ ୫୦ରୁ ୬୦ କିମି ବେଗରେ । ଲଗାଣ ବର୍ଷା ଓ ପବନ ଯୋଗୁ ଅମଳ ହେବାକୁ ଧାନ ସହ ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ ବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମର ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଛି ।

ସ୍ଥଳଭାଗ ଛୁଇଁବା ପରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବ । ଏହା ଓଡ଼ିଶାରେ ପଶିଲାବେଳକୁ ଲଘୁଚାପ ଅବସ୍ଥାରେ ରହିପାରେ । ଦକ୍ଷିଣ ଓଡ଼ିଶାରେ ୫ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରୁ ବର୍ଷା, ପବନ ବଢ଼ିପାରେ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ୫ ଓ ୬ ତାରିଖରେ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ୫ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିପାରେ । ମଝିରେ ମଝିରେ ୭୫ କିମି ପବନ ବହିପାରେ ।

ଏହି ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାର ଏସବୁ ଜିଲ୍ଲାଗୁଡ଼ିକରେ ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ବାତ୍ୟା ଆନ୍ଧ୍ର ଉପକୂଳ ୫ ତାରିଖ ପ୍ରଥମାର୍ଦ୍ଧରେ ଛୁଇଁଲାବେଳକୁ ସେଠାରେ ପବନ ବେଗ ୮୦-୯୦ କିମି ରହିବ ।

ପବନର ଝଟ୍‌କା ୧୦୦ କିମି ପର୍ଯ୍ୟନ୍ତ ଯାଇପାରେ । ସ୍ଥଳଭାଗ ଛୁଇଁବା ପରେ ସମୁଦ୍ର ସଂଲଗ୍ନ ଉପକୂଳ ଅଞ୍ଚଳ ଦେଇ ଆଗକୁ ବଢ଼ିବ । ଏହା ପ୍ରଭାବରେ ୪ ତାରିଖ ସନ୍ଧ୍ୟାରୁ ୩୫ରୁ ୪୫ କିମି ବେଗରେ ପବନ ବହିବ ଓଡ଼ିଶା ଉପକୂଳରେ (ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ । ପବନ ଝଟକା ୫୫ କିମି ଯାଏଁ ଯାଇପାରେ ।

୫ ତାରିଖ ସନ୍ଧ୍ୟାବେଳକୁ ପବନର ବେଗ କ୍ରମଶଃ ବଢ଼ି ୪୦-୫୦ କିମି ରହିପାରେ । ପବନ ଧକ୍କା ମଝିରେ ମଝିରେ ୬୦ କିମି ଛୁଇଁପାରେ । ରାତି ପର୍ଯ୍ୟନ୍ତ ଏଭଳି ରହିବ । ସକାଳକୁ ଧୀରେ ଧୀରେ ପବନ ବେଗ କମିବ । ୫ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପବନ ୩୦-୪୦ କିମି ରହିପାରେ । ପବନ ଝଟକା ୫୦ କିମି ଯାଏଁ ଯାଇପାରେ । ୪ରୁ ଓଡ଼ିଶା ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ।

ଓଡ଼ିଶାରେ ୩ରୁ ବର୍ଷା ଆରମ୍ଭ ହେବ । ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ୩ରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ୪ରେ ଉପକୂଳ ଓ ଦକ୍ଷିଣର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ମାଲାକନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା (୭୦ ମିମିରୁ ୧୧୦ ମିମି) ଆଶଙ୍କା ରହିଛି ।

୫ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ ମିମିରୁ ୨୦୦ ମିମି) ହୋଇପାରେ ।

ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୬ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୭ରୁ ବର୍ଷା କମିବ । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.