ଶ୍ରୀଲଙ୍କା ଉତ୍ତର-ପୂର୍ବ ଉପକୂଳରେ ବାତ୍ୟା ‘ଫେଙ୍ଗଲ’ର ତାଣ୍ଡବ, ବନ୍ୟା ଓ ଭୂ-ସ୍ଖଳନରେ ଅନେକ ମୃତ

Published By : Prameya-News7 Bureau | November 28, 2024 IST

କଲମ୍ବୋ ୨୮।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଫେଙ୍ଗଲ’ ଯୋଗୁ ଶ୍ରୀଲଙ୍କା ଉତ୍ତର-ପୂର୍ବ ଉପକୂଳରେ ଭୀଷଣ ବର୍ଷା ଲାଗି ରହିଛି। ଫଳରେ ବନ୍ୟା ଓ ଭୂ-ସ୍ଖଳନ ଧନଜୀବନ ହାନୀର କାରଣ ପାଲଟିଛି। ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ଶ୍ରୀଲଙ୍କାରେ ଅନୁନ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଉଦ୍ଧାରକାରୀଦଳ ୪ ଜଣ ପିଲାଙ୍କ ଶବ ଉଦ୍ଧାର କରିଥିବା କହିଛନ୍ତି। ଏହି ପିଲାମାନେ ପୂର୍ବ ଉପକୂଳର ଏରାବୁରରେ ଟ୍ରାକ୍ଟରରେ ଯାଉଥିବା ବେଳେ ବନ୍ୟାରେ ଭାସି ଯାଇଥିଲେ। 

ଦକ୍ଷିଣ ଏସିୟ ଦେଶ ଶ୍ରୀଲଙ୍କାର ପୂର୍ବ ଓ ମଧ୍ୟଭାଗରେ ଭୀଷଣ ବର୍ଷା ଜାରି ରହିଛି। ଫଳରେ ଅଚାନକ ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଦ୍ୱୀପ ଦେଶର ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ଅନୁସାରେ ଅତ୍ୟନ୍ତ ଶକ୍ତିଶାଳୀ ତେବେ ମନ୍ଥର ବେଗରେ ଆଗକୁ ବଢୁଥିବା ଘୂର୍ଣ୍ଣିବାତ୍ୟା ଫେଙ୍ଗଲ ଯୋଗୁ ଶ୍ରୀଲଙ୍କାରେ ୨,୫୦,୦୦୦ରୁ ଅଧିକ  ଲୋକେ ବିସ୍ଥାପିତ ହୋଇଛନ୍ତି। ଏଥି ମଧ୍ୟରେ ଶ୍ରୀଲଙ୍କା ସରକାର ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ସେନା ସହଯୋଗ କାମନା କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏବେ ବି ଅନୁସନ୍ଧାନକାରୀ ଦଳ ଦୁଇ ନିଖୋଜ ପିଲା ଓ ଦୁଇଜଣ ପୁରୁଷଙ୍କ ସନ୍ଧାନ କରୁଛନ୍ତି। ଏମାନେ ଏକ ଟ୍ରାକ୍ଟରରେ ଯାଉଥିବା ବେଳେ ବନ୍ୟା ଆସିବାରୁ ଭାସିଯାଇଥିଲେ।  

ବାତ୍ୟା ଏବେ  ଭାରତ ଉପକୂଳକୁ ମୁହାଁଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) କହିଛନ୍ତି ଯେ ଫେଙ୍ଗାଲ ଯୋଗୁ ଶନିବାର ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ଓ କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିପାରେ।    ଦକ୍ଷିଣ ଏସିୟାରେ ବନ୍ୟା ଓ ଭୂ-ସ୍ଖଳନ ଏକ ସାଧାରଣ ଘଟଣା। ତେବେ ବିଶେଷଜ୍ଞ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଗରେ ଚରମ ପରିସ୍ଥିତି ଘଟଣା ବଢିବାରେ ଲାଗିଛି ଓ ଏହା ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.