କଚ୍ଛ ଉପସାଗରର ଭୂ-ଭାଗରେ ସୃଷ୍ଟି ହେଲା ଘୂର୍ଣ୍ଣିବାତ୍ୟା, ଆରବସାଗରକୁ ମୁହାଁଇଛି

Published By : Prameya-News7 Bureau | August 31, 2024 IST

ଅହମଦାବାଦ  : ଗତ କିଛି ଦିନ ହେଲା ଗୁଜରାଟରେ ଭୀଷଣ ବର୍ଷା ଜାରି ରହିଛି, ଆକାଶରୁ ବିତ୍ପାତ ବର୍ଷୁଛି। ଏପରି ଲାଗୁଛି ରାଜ୍ୟରେ ଜଳ ପ୍ରଳୟ ଆସିଯାଇଛି ଓ ବନ୍ୟାରେ ଜନଜୀବନକୁ ଗୁରୁତର ପ୍ରଭାବିତ  ହୋଇଛି। ଏଥିରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) କଚ୍ଛ ଉପସାଗରର ଭୂଭାଗରେ ଏକ ଗଭୀର ଚାପର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାର ସୂଚନା ଦେଇଛନ୍ତି। ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର  ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଥିବା ବେଳେ ଏହାର ନାମ ‘ଆସନା’ ରଖାଯାଇଛି। ଏହି ନାମ ପାକିସ୍ତାନ ଦେଇଛି। 

ପାଖାପାଖି ୪୯ ବର୍ଷ ପରେ ଏପରି ପ୍ରଥମ ଥର ହୋଇଛି କୌଣସି ଘୂର୍ଣ୍ଣିବାତ୍ୟା ଭୂଭାଗରେ ସୃଷ୍ଟି ହୋଇ ସମୁଦ୍ରକୁ ଯାଇଛି। ପାଣିପାଗ ବିଭାଗ ଏହି ବାତ୍ୟା ଯୋଗୁ ସେପରି କୌଣସି ବିପଦର ଆଶଙ୍କା ନଥିବା ଆକଳନ କରିଛନ୍ତି। କାରଣ ସମୁଦ୍ରରୁ ବାତ୍ୟା ସବୁ ବେଳେ ଉପକୂଳକୁ ଆସିଥାଏ ହେଲେ ଏଥର ବାତ୍ୟା ଉପକୂଳରୁ ସମୁଦ୍ରକୁ ମୁହାଁଇଛି। ଆଇଏମଡିଙ୍କ ଅନୁସାରେ ଭୂ-ଭାଗରେ ସୃଷ୍ଟି ହୋଇ ବାତ୍ୟା ସମୁଦ୍ରକୁ ଯିବା ନୂଆ କଥା ନୁହେଁ  ‘ଆସନା’ ପୂର୍ବରୁ ୧୮୯୩ ଓ ୨୦୨୩ ମଧ୍ୟରେ ଏପରି ୩ ଥର ୧୯୪୪, ୧୯୬୪ ଓ ୧୯୭୬ରେ ଘୂର୍ଣ୍ଣିବାତ୍ୟା ହୋଇଛି, ଯାହା ଉପକୂଳରେ ସୃଷ୍ଟି ହୋଇ ସମୁଦ୍ରକୁ ଯାଇଛି। 

ଶେଷ ଥର ଏପରି ସାଇକ୍ଲୋନ ୧୯୭୬ ମସିହାରେ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିଲା, ଯାହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆରବ ସାଗରରେ ପ୍ରବେଶ କରିଥିଲା। ତେବେ ଏହା ପୂର୍ବରୁ ୧୯୪୪ ମସିହାରେ ଭୂ-ଭାଗରେ ସୃଷ୍ଟି ହୋଇଥିବା ସାଇକ୍ଲୋନ ଆରବ ସାଗର ଉପକୂଳରେ ବ୍ୟାପକ ଧ୍ୱଂସଲିଳା ରଚିଥିଲା।   ୧୯୬୪ରେ ସୃଷ୍ଟି ହୋଇଥିବା ସାଇକ୍ଲୋନ ଗୁଜରାଟ ଉପକୂଳରେ ସୃଷ୍ଟି ହୋଇ ସେହିଠାରେ ନିଶେଷ ହୋଇଯାଇଥିଲା। ଅହମଦାବାଦରେ ଆଇଏମଡି ମୁଖ୍ୟ ବୈଜ୍ଞାନିକ ଅଶୋକ କୁମାର ଦାସ ଏହି ଘଟଣାକୁ ବିରଳ ବୋଲି କହିଛନ୍ତି। 

ବୈଜ୍ଞାନିକ ଦାସ କହିଛନ୍ତି ଯେ ପଛ ଥର ଏପରି ୧୯୭୬ ମସିହାରେ ହୋଇଥିଲା, ଯେତେବେଳେ ଭୂଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସାଇକ୍ଲୋନରେ ପରିଣତ ହୋଇ ସମୁଦ୍ରକୁ ଯାଇଥିଲା। ସାଧରଣତଃ ଏହାର ବିପରୀତ ହୋଇଥାଏ। ଆଇଏମଡି କହିଛନ୍ତି ଯେ ଗୁଜରାଟ କଚ୍ଛ ନିକଟରେ ଓ ପାକିସ୍ତାନ ତଥା ପୂର୍ବୋତ୍ତର ଆରବ ସାଗର ଆଖପାଖରେ ଗଭୀର ଚାପ ଯୋଗୁ ସୃଷ୍ଟି ହୋଇଥିବା ସାଇକ୍ଲୋନ ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରି ଆରବ ସାଗରକୁ ଯାଇଛି। 

ଏହା ଆଗାମୀ ୨ ଦିନ ପର୍ଯ୍ୟନ୍ତ ଭାରତୀୟ ଉପକୂଳରୁ ଦୂରରେ ଉତ୍ତର-ପୂର୍ବ ଆରବ ସାଗର ଉପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଗଭୀର ଅବପାତ ଏକ ଲଘୁଚାପ ସ୍ଥିତି ଯେଉଁଥିରେ ପବନର ବେଗ ଘଣ୍ଟାପ୍ରତି ୫୨ କିଲୋମିଟରରୁ ୬୧ କିଲୋମିଟର ମଧ୍ୟରେ ଥାଏ। ତେବେ ସାଇକ୍ଲୋନରେ ପବନର ବେଗ ଘଣ୍ଟାପ୍ରତି ୬୩ କିଲୋମିଟରରୁ ୮୭ କିଲୋମିଟର ଥାଏ। 

କୌଣସି ଲଘୁଚାପ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାକୁ ସମୁଦ୍ର ପୃଷ୍ଠର ତାପମାତ୍ରା ୨୭ ଡିଗ୍ରି ସେଲସିୟସ୍ ବା ଏହାଠାରୁ ଅଧିକ ରହିଥିବା ଦରକାର। ଏପରି ଦେଖିବାକୁ ଗଲେ ବଙ୍ଗୋପସାଗରରେ ସମୁଦ୍ର ପୃଷ୍ଠର ତାମାତ୍ରା ଏବେ ୨୮ରୁ ୩୦ ଡିଗ୍ରି ସେଲସିୟସ୍ ମଧ୍ୟରେ ରହୁଛି। ସେହିପରି ଆରବସାଗରରେ ଏହା ୨୭ରୁ ୨୮ ଡିଗ୍ରି ସେଲସିୟସ ମଧ୍ୟରେ ରହୁଛି। ଏଥିରୁ ବଙ୍ଗୋପସାଗର ଓ ଆରବ ସାଗରରେ ଏବେ ସାଇକ୍ଲୋନ ପାଇଁ ଏବେ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.