ନୂଆଦିଲ୍ଲୀ ୦୨/୧୨: ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ‘ବୁରେଭି’। ବାତ୍ୟା ‘ନିଭାର’ର ତାଣ୍ଡବ ପରେ ପୁଣି ଏକ ବାତ୍ୟା ‘ବୁରେଭି’କୁ ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ତାମିଲନାଡୁରେ ନିଭାର ବ୍ୟାପକ କ୍ଷତି ପହଞ୍ଚାଇଥିବା ବେଳେ ଆଜି ରାତିରେ ଶ୍ରୀଲଙ୍କା ଉପକୂଳ ଦେଇ ଗତି କରିବ ବୋଲି ଜଣାପଡ଼ିଛି। ସେପଟେ ପୁଣି ଏକ ବାତ୍ୟା ‘ବୁରେଭି’ କେରଳ ପାଇଁ ବିପଦ ନେଇ ଆସୁଛି।
‘ବୁରେଭି’କୁ ନଜରରେ ରଖି ଆଇଏମଡି କେରଳର ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି। କେରଳର ଥିରୁଅନନ୍ତପୁରମ୍, କୋଲ୍ଲାମ, ପାଥନମଥିଟା ଓ ଆଲାପୁଝା ପାଇଁ ଡିସେମ୍ବର ୩ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି।
ଆଜି ଅପରାହ୍ନ ୨.୩୦ ବେଳକୁ ସାମୁଦ୍ରିକ ଝଡ଼ ‘ବୁରେଭି’ ଶ୍ରୀଲଙ୍କାର ପୂର୍ବ ଉତ୍ତରପୂର୍ବରୁ ୧୧୦ କିମି ଦୂରରେ ଥିବା ବେଳେ ତାମିଲନାଡୁ ପାନବାନରୁ ୩୩୦ କିମି ଦୂରରେ ରହିଥିଲା। ଏହା ସହ କନ୍ୟାକୁମାରୀର ପୂର୍ବ ଉତ୍ତରପୂର୍ବରୁ ୫୨୦ କିମି ଦୂରରେ ଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଥିଲା। ତେବେ ଡିସେମ୍ବର ୩ରେ ‘ବୁରେଭି’ ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ୭୦-୮୦ କିମି ରହିବାକୁ ଥିବା ବେଳେ ମଝିରେ ମଝିରେ ପବନର ବେଗ ବଢ଼ି ୯୦ କିମି ପ୍ରତି ଘଣ୍ଟା ବେଗରେ ବହିବ।
‘ବୁରେଭି’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ତାମିଲନାଡ଼ୁର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ସେହି ଭଳି ଡିସେମ୍ବର ୩ ଓ ୪ ତାରିଖରେ ଦକ୍ଷିଣ କେରଳର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ‘ବୁରେଭି’ର ପ୍ରକୋପ ‘ନିଭାର’ ଭଳି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।