ମାଡି ଆସୁଛି ଆଉ ଏକ ବାତ୍ୟା : ଘଣ୍ଟାକୁ ୧୧୦ କି:ମି ବେଗରେ ଗତି କରୁଛି ବାତ୍ୟା ‘ବାୟୁ’
11/06/2019 at 1:53 PM

ମାସେ ପୂର୍ବରୁ ଆସିଥିଲା ବାତ୍ୟା ଫନି । ଫନିର କରାଳ ରୂପ ପୁରା ଦେଶ ଦେଖିଚି । ବାତ୍ୟା ଫନିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଓଡିଶା । ବାତ୍ୟା ଫନି ବେଳେ ପବନର ବେଗ ଘଣ୍ଟା ପ୍ରତି ୨୨୦ ରୁ ୨୪୦ କିମି ରହିଥିଲା । ଏବେ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇପାରିନାହିଁ । ଅନେକ ଜାଗାରେ ଘର, ଗଛ, ଇଲେକ୍ଟ୍ରିକ ଖୁଣ୍ଟ, ବଡ ବଡ କୋଠା, ମୋବାଇଲ ଟାୱାର ଆଦି ଭାଙ୍ଗିଯାଇଛି । ମାସେ ପରେ ମଧ୍ୟ କେତେକ ଅଂଚଳର ସ୍ଥିତି ସୁଧୁରିନି । ଲୋକ ଏବେ ପର୍ଯ୍ୟନ୍ତ ମଧ୍ୟ ହଇରାଣ ହେଉଛନ୍ତି । ବାତ୍ୟା ଫନି ପରେ ପରେ ଖରାର ପ୍ରକୋପ ମଧ୍ୟ ବଢିଯାଇଛି । ଗରମ ସାଧୁଛି । ଏଭଳି ସ୍ଥିତିରେ ଆଉ ଏକ ବାତ୍ୟା ମାଡି ଆସୁଛି । ଦେଶର ପଶ୍ଚିମାଞ୍ଚଳ ପାଇଁ ଚିନ୍ତାର କାରଣ ହୋଇଛି ବାୟୁ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ବାୟୁ ଗୁଜରାଟ ମୁହାଁ ହୋଇଛି । ଜୁନ ୧୨/୧୩ ତାରିଖ ସୁଦ୍ଧା ଗୁଜରାଟ ତଟ ଛୁଇଁ ବୋଲି ପୂର୍ବାନୁମାନ କରାଯାଇଥିଲା ।
ବାୟୁ ଏବେ ଗୁଜରାଟ ତଟରୁ ପାଖାପାଖି ୬୫୦ କିମି ଦୂରରେ ରହିଛି । ଜୁନ ୧୩ ତାରିଖ ସକାଳ ସୁଦ୍ଧା ଗୁଜରାଟ ତଟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ପ୍ରଶାସନ ସତର୍କ ସୂଚନା ଜାରି କରିଛି । ୩୨ରୁ ଅଧିକ ଗାଁକୁ ସତର୍କ ସୂଚନା ଜାରି କରିଛି ପ୍ରଶାସନ ।
ଆରବ ସାଗରରେ ହୋଇଥିବା ବାତ୍ୟା ବାୟୁ ଘଣ୍ଟା ପ୍ରତି ୭୫ କି:ମି ଠାରୁ ସର୍ବାଧିକ ୧୩୫ କିମି ବେଗରେ ଗତି କରୁଛି । ବାତ୍ୟା ଯୋଗୁଁ ଅହମଦାବାଦ, ଗାନ୍ଧିନଗର ଏବଂ ରାଜକୋଟ ସମେତ ତଟବର୍ତ୍ତୀ ଅଂଚଳରେ ଭୀଷମ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ୧୨ ତାରିଖରେ ଦକ୍ଷିଣ ଗୁଜରାଟ ଓ ମହାରାଷ୍ଟ୍ର ତଟବର୍ତ୍ତୀ ଅଂଚଳରେ ଘଣ୍ଟା ପ୍ରତି ୫୦ ରୁ ୬୦ କି:ମି ବେଗରୁ ଆରମ୍ଭ କରି ୭୦ କିମି ବେଗରେ ପବନ ଗତି କରିବ । ଜୁନ ୧୩ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୩୫ କି:ମି ରହିବ ।