ବାତ୍ୟା ‘ବାୟୁ’ର ପ୍ରଭାବ : ସୋମନାଥ ମନ୍ଦିର ୧୫୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ସମୁଦ୍ର ଲହଡି
13/06/2019 at 12:16 PM

ଅହମଦାବାଦ ୧୩/୬ : ବାତ୍ୟା ବାୟୁକୁ ନେଇ ଗୁଜରାଟ ସରକାର ସତର୍କ ସୂଚନା ଜାରି କରିଥିଲେ । ରାଜ୍ୟର ୧୨ ଜିଲ୍ଲାରେ ବାୟୁ ପ୍ରଭାବ ପକାଇବାର ସମ୍ଭାବନା ରହିଥିଲା । ତଟବର୍ତ୍ତୀ ଅଂଚଳରେ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । କିନ୍ତୁ ବାୟୁ ନିଜର ଗତିପଥ ବଦଳାଇ ସୌରାଷ୍ଟ୍ରର ତଟବର୍ତ୍ତୀ ଅଂଚଳରେ ପ୍ରଭାବ ପକାଇ ପାକିସ୍ତାନ ମୁହାଁ ହୋଇଛି । ବାତ୍ୟାର ପ୍ରଭାବ ଭୟଙ୍କର । ହିନ୍ଦୁମାନଙ୍କ ଆସ୍ଥା କେନ୍ଦ୍ର ସୋମନାଥ ମନ୍ଦିର ଏହି ବାତ୍ୟା କବଳରେ ରହିଛି । ବାତ୍ୟା ଯୋଗୁଁ ୧୫୫ ଫୁଟ ଉଚ୍ଚରେ ଥିବା ସୋମନାଥ ମନ୍ଦିରର ଶିଖର ପର୍ଯ୍ୟନ୍ତ ସମୁଦ୍ର ଲହଡି ମାରୁଚି । ଯେଉଁଥିପାଇଁ ମନ୍ଦିର ଫାଟକ ଭାଙ୍ଗିଯାଇଛି ।

ଗୁଜରାଟର ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂହ କହିଛନ୍ତି ଯେ, ବାତ୍ୟା ବାୟୁର ଭୟାବହତା ଦେଖି ସେଠାରେ ସତର୍କ ସୂଚନା ଜାରି କରାଯାଇଥିଲା ତଥାପି ମନ୍ଦିର ଖୋଲା ରହିଛି । ପର୍ଯ୍ୟଟକଙ୍କୁ ଯିବା ଆସିବା ପାଇଁ ବାରଣ କରାଯାଇଛି କିନ୍ତୁ ମନ୍ଦିର ବନ୍ଦ ରଖଯାଇନାହିଁ । କାରଣ ବର୍ଷ ବର୍ଷ ଧରି ଏଠାରେ ନିୟମିତ ଆଳତି ହୋଇଥାଏ । ଏହି ନିୟମକୁ ଭଙ୍ଗ ନକରିବା ପାଇଁ ମନ୍ଦିର ଖୋଲା ରହିଛି ।

ବର୍ତ୍ତମାନ ମନ୍ଦିରର ସ୍ଥିତି ନିୟନ୍ତ୍ରଣରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ସେଠାକାର ସ୍ଥିତି ଉପରେ ନଜର ରଖିଛନ୍ତି । ଅମିତ ଶାହ ସୋମନାଥ ମନ୍ଦିର ପ୍ରବନ୍ଧ ସମିତିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ବାତ୍ୟା ବାୟୁ ଗୁରୁବାର ଦିନ ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ଥିଲା କିନ୍ତୁ ବୁଧବାର ସନ୍ଧ୍ୟାରେ ଏହା ନିଜର ଗତିପଥ ବଦଳାଇ ଦେଇଥିଲା । ଫଳରେ ବାତ୍ୟାର ପ୍ରଭାବ ଗୁଜରାଟର ସୌରାଷ୍ଟ୍ର ଅଂଚଳରେ ପଡିବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ପୂର୍ବରୁ ୫୦୦ ଗାଁର ପାଖାପାଖି ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏମାନଙ୍କ ମଧ୍ୟରୁ ପାଖାପାଖି ୧୦ ହଜାର ପର୍ଯ୍ୟଟକ ଅଛନ୍ତି । ଏହି ପର୍ଯ୍ୟଟକମାନେ ପୋରବନ୍ଦର, ଦ୍ୱାରିକା ଏବଂ ସୋମନାଥ ମନ୍ଦିରରେ ଫସି ରହିଥିଲେ ।