ସାଇବର ଠକ କବଳରେ ବ୍ୟବସାୟୀ, କାଠ ଦେବାକୁ କହି ଠକି ନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | December 21, 2020 IST

ଖୋର୍ଦ୍ଧା ୨୧।୧୨: କମ୍ପ୍ୟୁଟର ଯୁଗରେ ସାଇବର ଠକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ଠକମାନଙ୍କୁ ଧରିବାରେ ପୋଲିସର ବିଫଳତା ଏବେ ପଦାରେ ପଡିଲାଣି ।  ଏହି ଠକେଇର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ ।

ଗତ ୨୦୧୯ ଅଗଷ୍ଟ ମାସରେ ଟ୍ରେଡ୍ ୟୁନାଇଟେଡ୍ ଲିମିଟେଡ଼ ନାମକ ଏକ ବିଦେଶୀ ୱେବସାଇଟ୍ କାଠ ଯୋଗାଇଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥାକୁ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ସହ ୧୬ ଲକ୍ଷ ୩୨ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ। ଏହି ଟଙ୍କା ସେ ବ୍ୟାଙ୍କରୁ ଋଣ ଆଣି ପଠାଇଥିଲେ । ଚୁକ୍ତି ଅନୁସାରେ ୨୦୧୯ ମସିହା ଅଗଷ୍ଟ ୩୦ ତାରିଖରେ କାଠ ଜାହାଜ ପାରାଦୀପ ବନ୍ଦରରେ ଲାଗିବ ବୋଲି ସୂଚନା ଦିଆଯାଇଥିଲା ମାତ୍ର କୌଣସି କାଠ ଆସିନଥିଲା । ତାପରେ ୟୁନାଇଟେଡ ଲିମିଟେଡ଼ ତାଙ୍କଠାରୁ ଟଙ୍କା ଠକିନେଇଥିବା ବ୍ରଜବନ୍ଧୁ ଜାଣିବାକୁ ପାଇଥିଲେ।

ପରେ ଏ ନେଇ ବୋଲଗଡ ଥାନା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ସାଇବର ଥାନା ଓ ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସୋମବାର ପୁନଃର୍ବାର ବ୍ରଜବନ୍ଧୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ବ୍ରଜବନ୍ଧୁଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ସେ ନିଜେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.