ବ୍ୟାଙ୍କକ୍ ୧୭।୭: କେନ୍ଦ୍ରୀୟ ବ୍ୟାଙ୍କକ୍ ର ଏକ ବିଳାଶମୟ ହୋଟେଲ ରୁମ୍ରେ ୨ ଭିଏତନାମୀ ଆମେରିକୀୟଙ୍କ ସହିତ ୬ ଜଣଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ବ୍ୟାଙ୍କକ୍ ମେଟ୍ରୋପଲିଟନ ପୋଲିସ କମିଶନର ଥିତି ସେଙ୍ଗସାୱାଙ୍ଗଙ୍କ ଅନୁସାରେ ଗ୍ରାଣ୍ଡ ହୟାତ ଇରୱାନ ହୋଟେଲର ପଞ୍ଚମ ମହଲାରେ ଥିବା ରୁମରୁ କର୍ମଚାରୀମାନଙ୍କ ଶବ ମିଳିଛି। ପୋଲିସ କହିଛି ଯେ ଏହି ଘଟଣା ଡକୈତୀ ଭଳି ଲାଗୁ ନାହିଁ କି କୌଣସି ମୃତ ଦେହରେ ଶାରୀରିକ ହିଂସାର କୌଣସି ଚିହ୍ନ ନାହିଁ।
ପୋଲିସ ଏହା ବି କହିଛି ଯେ ସେମାନେ ନିଜକୁ ନିଜେ କୌଣସି କ୍ଷତି ମଧ୍ୟ କରି ନାହାନ୍ତି। ତେବେ ଥିତି କହିଛନ୍ତି ଯେ ରୁମରୁ ଧଳା ପାଉଡର ଚିହ୍ନ ଥିବା କପ ମିଳିଛି, ଏହା ଛଡା ସେମାନେ ପୂର୍ବରୁ ମଗାଇଥିବା ଖାଦ୍ୟ ମଧ୍ୟ ମିଳିଛି। ଅଧିକାରୀ ଏବେ ଏହି ଘଟଣାର ସପ୍ତମ ବ୍ୟକ୍ତିଙ୍କୁ ସନ୍ଧାନ କରୁଛନ୍ତି, ଯିଏ ହୋଟେଲ ରୁମ୍ ବୁକିଂରେ ଭାଗିଦାର ଥିଲା ଓ ଏବେ ସମ୍ଭାବିତ ସନ୍ଧିଗ୍ଧ। ଅନ୍ୟ ୪ଜଣ ମୃତକ ଭିଏତନାମୀ ନାଗରିକ। ଥିତି କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ ଜଣେ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରିଥିଲା। ତେବେ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ପଡି ଯାଇଥିଲା।
ମଙ୍ଗଳବାର ଶବ ମିଳିବା ପରେ ପଞ୍ଚତାରକା ହୋଟେଲର ପ୍ରବେଶ ଦ୍ୱାରରେ ପୋଲିସ ପହରା ଦେଉଥିବା ଦେଖାଯାଇଛି। ଆମେରିକା ବିଦେଶ ବିଭାଗ କହିଛି ଯେ ବ୍ୟାଙ୍କକରେ ୨ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ସୂଚନା ମିଳିଛି। ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ମଙ୍ଗଳବାର ଏକ ବ୍ରିଫିଙ୍ଗରେ କହିଥିଲେ ଯେ ଆମେ ପୀଡ଼ିତ ପରିବାରଙ୍କ ପ୍ରତି ଆମର ସମ୍ବେଦନା ଜ୍ଞାପନ କରୁଛୁ। ଆମେ ପରିସ୍ଥିତି ଉପରେ ପାଖରୁ ନଜର ରଖିଛୁ ଓ ସେମାନଙ୍କ ପରିବାରଙ୍କୁ କନସୁଲାର ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ।
ଇତି ମଧ୍ୟରେ ମିଳିଥିବା ତାଜା ସୂଚନାରେ ଥାଇଲ୍ୟାଣ୍ଡ ପୋଲିସର ଫରେନସିକ୍ ବିଭାଗ ମୁଖ୍ୟ ତ୍ରିରଙ୍ଗ ଫ୍ୟୁପାନ ବୁଧବାର କହିଛନ୍ତି ଯେ ବ୍ୟାଙ୍କକର ଏକ ଲଗଜୁରୀ ହୋଟେଲରୁ ମୃତ ମିଳିଥିବା ୬ ଜଣଙ୍କ କଫିରେ ସାଇନାଇଡର ଅଂଶ ମିଳିଛି। ସାଇନାଇଡ ସବୁଠୁ ବିଷାକ୍ତ ପଦାର୍ଥ ଓ ଏହା ସେବନ କରିବା ପରେ ବଞ୍ଚିବା ଅସମ୍ଭବ। ତେବେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚା ଘଟଣା ଯେପରି ଦେଶର ପର୍ଯ୍ୟଟନ ଉଦ୍ୟୋଗ ଉପରେ ପ୍ରଭାବ ନ ପକାଏ ତାକୁ ଦୃଷ୍ଟିରେ ରଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।