CWG ୨୦୨୨: ହକିରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ; ୭-୦ରେ ଅଷ୍ଟ୍ରେଲିଆ ଠାରୁ ହାରି ଜିତିଲା ରୌପ୍ୟ
8/08/2022 at 7:59 PM

ବର୍ମିଂହାମ ୦୮/୦୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ହକି ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଭାରତ ୭-୦ ଗୋଲ୍ରେ ପରାସ୍ତ ହୋଇଛି। ଫଳରେ ଭାରତକୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୨୨ର ପୁରୁଷ ବିଭାଗ ହକିରେ ରୌପ୍ୟ ପଦକ ନେଇ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨୦୧୦ ଦିଲ୍ଲୀରେ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆ ଠାରୁ ଭାରତୀୟ ପୁରୁଷ ହକି ଦଳ ୮-୦ ଗୋଲରେ ପରାଜିତ ହୋଇଥିଲା।
ଭାରତୀୟ ହକି ଟିମ୍ର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଲଗାତାର ଏପରି ଖେଳ ପ୍ରଦର୍ଶନ ହକିପ୍ରେମୀଙ୍କୁ ଦୁଃଖିତ କରିଛି। ଲିଗ୍ ପର୍ଯ୍ୟାୟରେ ଅପରାଜେୟ ଭାରତୀୟ ଟିମ୍ ଫର୍ମରେ ଆଦୌ ଦେଖାଯାଇନଥିଲା। ଫରୱାର୍ଡ ଲାଇନରେ ତାଳମେଳ ନଥିଲା ଓ ଡିଫେନ୍ସକୁ ଅଷ୍ଟ୍ରେଲିୟ ଦଳ ପୁରାପୁରି ଭାବେ ଧରାସାୟୀ କରିଦେଇଥିଲେ। ଅନ୍ୟପଟେ ଭାରତୀୟ ଟିମ୍ ଅଧିନାୟକ ମନପ୍ରୀତ ସିଂହଙ୍କର ଡାହାଣ ହାତ କାନ୍ଧରେ ଆଘାତ ଲାଗିଥିବାରୁ ମ୍ୟାଚ୍କୁ ବହୁତ ପ୍ରଭାବିତ କରିଥିଲା।