ବର୍ମିଂହାମ: ବେଥ୍ ମୁନିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୧ ରନ କରିଛି। ଫାଇନାଲ୍ ମୁକାବିଲା ଜିତିବା ପାଇଁ ଭାରତୀୟ ମହିଳା ଦଳ ସମ୍ମୁଖରେ ୧୬୨ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମୁକାବିଲା ଜିତିବା ଦଳ ସ୍ଵର୍ଣ୍ଣ ପଦକ ପାଇବ ଏବଂ ହାରିବା ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିବ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଛି।
ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୧ ରନ କରିଛି। ଦଳ ପକ୍ଷରୁ ବେଥ ମୁନି ସର୍ବାଧିକ ୬୧ ରନର ଦମଦାର ଇନିଂସ ଖେଳିଛନ୍ତି। ମୁନି ୪୧ ବଲରୁ ୮ ଚୌକା ସହ ଏହି ସ୍କୋର କରିଛନ୍ତି। ତାଙ୍କ ବ୍ୟତୀତ ମେଗ ଲାନିଙ୍ଗ ୩୬ ରନ କରିଥିବା ବେଳେ ଆସଲେହିଗ ଗାର୍ଡନେର ୨୫ ରନ କରିଛନ୍ତି। ଏକଦା ୧୫.୧ ଓଭରରେ ୪ ଓ୍ଵିକେଟ୍ ହରାଇ ୧୨୫ ରନ କରିଥିବା ଅଷ୍ଟ୍ରେଲିଆ ଶେଷ ଆଡକୁ ଭାରତର ମାପଚୁପ ବୋଲିଂ କାରଣରୁ ୧୬୧ ରନରେ ସୀମିତ ରହିଛି। ଭାରତ ପକ୍ଷରୁ ରେଣୁକା ସିଂହ ୨୫ ରନ ଦେଇ ୨ଟି ଏବଦଂ ସ୍ନେହ ରାଣା ୩୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ରାଧା ଯାଦବ ଏବଂ ଦୀପ୍ତି ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।