ପୂଜା ପୂର୍ବରୁ କଟକରେ କମିଶନରେଟ୍ ପୋଲିସର ଅପରେସନ ‘ଅଲ୍ ଆଉଟ୍’ ; ସହରର ୨୮ ଅପରାଧୀଙ୍କୁ ଗିରଫ କରିସାରିଲାଣି ପୋଲିସ
7/10/2018 at 11:10 AM

କଟକ ୭|୧୦: କଟକରେ କମିଶନରେଟ୍ ପୋଲିସର ଅପରେସନ ଅଲ୍ ଆଉଟ୍ । ପୂଜା ପୂର୍ବରୁ ସମସ୍ତ ପେଶାଦାର ଅପରାଧୀଙ୍କୁ ଗୋଟି ଗୋଟି କରି ଖୋଜି ବାହାର କରିବା ଆଉ ଜେଲ ହାଜତକୁ ପଠାଇବାକୁ ଦିଆଯାଇଛି ଟାସ୍କ । ଖାସ୍ ସେଇଥି ପାଇଁ ରାତି ଅଧିଆ ଚାଲିଛି ବ୍ଲକିଂ ଆଉ ଚେକିଂ । ଗାଡ଼ି ଗୁଡ଼ିକୁ ଅଟକାଇ ତଲାସ କରୁଛନ୍ତି ପୋଲିସ ଟିମ୍ । ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ୍, କିଏ କୁଆଡ଼େ ଯାଉଛି ଆଉ କେଉଁଠି ଆସିଛି ସେସବୁର ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ପୂଜା ସମୟରେ କଟକକୁ ଅପରାଧ ଓ ଅପରାଧୀମୁକ୍ତ କରିବାକୁ ପୋଲିସ ଆରମ୍ଭ କରିଥିବା ଏହି ଅଭିଯାନ ଭସାଣୀ ପର୍ଯ୍ୟନ୍ତ ଚାଲିବ । ସହରର ୮୦ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିବାକୁ ଦିଆଯାଇଛି ଟାର୍ଗେଟ୍ । ସେଥି ମଧ୍ୟରୁ ୨୮ଜଣଙ୍କୁ ଦଫା ୧୧୦ ବଳରେ ବାନ୍ଧି ଜେଲ୍ ହାଜତକୁ ପଠାଇ ସାରିଲାଣି ପୋଲିସ । ସେହିଭଳି ୨୨୦ଜଣଙ୍କୁ ଏନବିଡବ୍ଲୁରେ ଗିରଫ କରିବାକୁ ଟାସ୍କ ଦିଆଯାଇଥିବା ବେଳ ସେଥି ମଧ୍ୟରୁ ପୋଲିସ ପଞ୍ଝାକୁ ଆସିସାରିଲେଣି ୭୨ ଜଣ ।