ଜିମ୍ରେ ଦୁଷ୍କର୍ମ ଓ ବ୍ଲାକମେଲ୍ ଘଟଣା, ଯୁବତୀଙ୍କ ବୟାନ ରେକର୍ଡ
12/03/2023 at 12:53 PM

କଟକ ୧୨।୦୩ : କଟକ ସିଡିଏ ସେକ୍ଟର-9ର ଜିମ୍ ରେ ଦୁଷ୍କର୍ମ ଓ ବ୍ଲାକମେଲ ଘଟଣାରେ ୧୬୧ ଧାରାରେ ବୟାନ ରେକର୍ଡ କଲା ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ । ଅଭିଯୁକ୍ତ ଏବେ ବି ରାଜ୍ୟ ବାହାରେ ଥିବା ବେଳେ ଉଭୟ ପରିବାରକୁ ପୋଲିସ ପଚରାଉଚରା କରିଛି । ଏନେଇ ଏସିପି ତାପସ ପ୍ରଧାନ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଜିମରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଗତ ବର୍ଷେ ଧରି ବ୍ଲାକମେଲ୍ କରୁଥିଲା ଅଭିଯୁକ୍ତ । ଏବେ ମର୍କତନଗର ଥାନାରେ ମାମଲା ହେବା ପରେ ସାମ୍ନାକୁ ଆସିଛି ଘଟଣା । ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଯୁବତୀ। ଏତଲା ଅନୁସାରେ ଯୁଵତୀଙ୍କୁ ଏନର୍ଜି ଡ୍ରିଙ୍କସ୍ ରେ ନିଶା ଦେଇ ଅଚେତ କରିବା ପରେ ଜିମ୍ ମାଲିକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏହାସହ ଦୁଷ୍କର୍ମ ସମୟରେ ଭିଡିଓ ଓ ଫଟୋ ମୋଵାଇଲରେ ଉଠାଇ ସମ୍ପୃକ୍ତ ଯୁଵତୀଙ୍କୁ ଯୁଵକ ଜଣକ ଵ୍ଲାକମେଲ କରିବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ଵାଧ୍ୟ କରୁଥିବା ଏତଲାରେ ଉଲ୍ଲେଖ ରହିଛି। ଶାରୀରିକ ସମ୍ପର୍କ ନରଖିଲେ ବା ଏ ଵାଵଦରେ ପୋଲିସ କିମ୍ବା ଅନ୍ୟ କାହାକୁ କହିଲେ ଅଶ୍ଳୀଳ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେଵାର ଯୁବକ ଧମକ ଦେଉଥିଲେ ।
୨୦୨୨ମସିହା ମାର୍ଚ୍ଚ ୧୬ତାରିଖରେ ଘଟିଥିବା ଏତଲାରେ ଦର୍ଶାଯାଇଛି। ଘଟଣାଠାରୁ ଏତେ ଦିନ ପର୍ଯ୍ୟନ୍ତ ପୀଡିତାଙ୍କୁ ମାନସିକ ଚାପରେ ରଖିଥିଲା ଅଭିଯୁକ୍ତ । ପୀଡିତା ଯୁବତୀଙ୍କୁ ଶାରିରୀକ ଓ ଆର୍ଥିକ ଶୋଷଣ କରୁଥିବା ଏତଲାରେ ଉଲ୍ଲେଖ ରହିଛି।