କଟକବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ, ୨ ଦିନ ପୂର୍ବେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଏବେ ଆତଙ୍କିତ ଲୋକେ
20/08/2022 at 3:25 PM

କଟକ ୨୦।୮: କଟକ ସହରବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ । ଦୁଇ ଦିନ ତଳେ ଡେଙ୍ଗୁରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ଏବେ ଆତଙ୍କିତ ଲୋକେ । ପ୍ରଶାସନିକ ଉଦାସୀନତା ଯୋଗୁଁ ଡେଙ୍ଗୁ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । ଡେଙ୍ଗୁ ମୁକାବିଲା ପାଇଁ ସିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ବି ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନି । ଫଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି । ଏବେ ବର୍ଷାଦିନ ଥିବାରୁ ସହରରେ ସଫେଇକୁ ଗୁରୁତ୍ବ ଦେବା ସହ ସଚେତନତା ବ୍ୟାପକ କରିବାକୁ ଦାବି କରିଛନ୍ତି ସହରବାସୀ ।
ଡେଙ୍ଗୁ ମୁକାବିଲାରେ ଫେଲ୍ ମାରିଛି ସିଏମ୍ସି । ନା ସହରରେ ଭଲରେ ସଫେଇ କାମ ହେଉଛି ନା ସଚେତନତାକୁ ବ୍ୟାପକ କରାଯାଉଛି । ଡେଙ୍ଗୁ ମୁକାବିଲା ପାଇଁ ଗତ ମାସେ ତଳେ ସିଏମ୍ସି ମେୟରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା । ସହରରେ ପ୍ରତି ସପ୍ତାହରେ ୪ ଦିନ ଡ୍ରାଏ ଡେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀ ପ୍ରତିଦିନ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସଚେତନ କରିବାକୁ ମଧ୍ୟ କୁହାଯାଇଥିଲା । ହେଲେ ସେସବୁ ଯେମିତି ବୈଠକରେ ହିଁ ସୀମିତ ରହିଯାଇଛି । ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମିବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ହେଲେ ସେହି ପରିମାଣରେ ମଶା ତେଲ ଦିଆଯାଉନାହିଁ କି ବ୍ଲିଚିଂ ପାଉଡର ମଧ୍ୟ ଛିଞ୍ଚା ଯାଉନାହିଁ ।
ଦୁଇ ଦିନ ତଳେ ଡେଙ୍ଗୁରେ ୨୬ ନଂ ୱାର୍ଡର ଯୁବକ ଦୀପକ କୁମାର ମୁଦୁଲିଙ୍କର ମୃତ୍ୟୁ ହେବା ପରେ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନିକ ସ୍ତରରେ ସଚେତନତା କରାଯାଉନଥିବାରୁ ସ୍ଥାନୀୟ କର୍ପୋରେଟର ନିଜ ସ୍ତରରେ ଚକୁଳିଆ ପଣ୍ଡା ବେଶ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି ।
ସେପଟେ ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ସହରରେ ସଫେଇ କାମ ଠିକ୍ ରୂପେ କରାଯାଉଛି । ଜାନୁଆରୀ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨ଟି କେସ୍ ବାହାରର । ଡେଙ୍ଗୁ ମଶା ବିଶେଷ କରି ସ୍ୱଚ୍ଛ ଜଳରେ ହୋଇଥାନ୍ତି । ସେଥିପାଇଁ ଘରର ଆଖପାଖ ଅଞ୍ଚଳରେ ପାଣି ଜମାଇ ନରଖିବା, ଘର ପାଖରେ ପଡିଥିବା ଟାୟାର, ପ୍ଲାଷ୍ଟିକ ଭଳି ଅଦରକାରୀ ବସ୍ତୁକୁ ନଷ୍ଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଜ୍ଵର କିମ୍ବା ଅନ୍ୟ କୌଣସି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଗକୁ ସଚେତନତା କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରିବା ସହ ଡେଙ୍ଗୁ କେସ୍ ଯେଉଁଭଳି ନବଢେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।