କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ! ଭେନ୍ୟୁରେ ବାରବାଟୀ ନାଁ ପରେ ଚର୍ଚ୍ଚା ଜୋର୍

Published By : Prameya-News7 Bureau | August 02, 2022 IST

ନୂଆଦିଲ୍ଲୀ ୦୨/୦୮:  ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ (ଏଲଏଲ୍‌ସି) କ୍ରିକେଟ୍‌ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହେବ । ମୋଟ୍‌ ୫ଟି ସହରରେ ଏହି ଲିଗ୍‌ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣା ପଡ଼ିଛି । କୋଲକାତା, ଲକ୍ଷ୍ନୌ ଦିଲ୍ଲୀ, ଯୋଧପୁର ଏବଂ କଟକ କିମ୍ବା ରାଜକୋଟ ଏହି ତାଲିକାରେ ରହିଛନ୍ତି । ଏ ପର୍ଯ୍ୟନ୍ତ ଏଲ୍‌ଏଲସି ପକ୍ଷରୁ ଏ ବିଷୟରେ ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ଏଲଏଲ୍‌ସି ଭେନ୍ୟୁ ତାଲିକାରେ କଟକ ବାରବାଟୀ ଷ୍ଟାଡ଼ିୟମ୍‌ ନାମ ଚର୍ଚ୍ଚା ହେବା ପରେ ଆମେ ଏ ବିଷୟରେ ଜାଣିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ିଥିଲୁ । କିନ୍ତୁ ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ଆମ ପାଖରେ କିଛି ଖବର ନାହିଁ ।’ ମୋଟ୍‌ ୫୩ ଜଣ ଖେଳାଳି ଏଲଏଲ୍‌ସିରେ ଖେଳିବା ନେଇ ସମ୍ମତି ପ୍ରକାଶ କରିଥିବା ଜାଣିବାକୁ ମିଳିଛି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଦୀର୍ଘ ଦିନ ପରେ ପୁଣି ଥରେ କ୍ରିକେଟ୍‌ ମଇଦାନକୁ ଫେରିବେ । ଇୟନ ମୋର୍ଗାନ, ବୀରେନ୍ଦ୍ର ସେହ୍ୱାଗ, ମୁଥୟା ମୁରଲୀଦରନ,ମିଶବା-ଉଲ-ହକ, ଜଣ୍ଟି ରୋଡ୍‌, ମିଚେଲ ଜନସନ, ବ୍ରେଟ୍‌ ଲି, ସେନ ୱାଟସନ୍‌, ଡେଲ ଷ୍ଟେନ୍‌ ଓ ରୋସ ଟେଲର ଲିଗରେ ଖେଳିବେ ବୋଲି ଜଣା ପଡ଼ିଛି । ଏଲଏଲ୍‌ସି ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୮ରେ ଶେଷ ହେବ । ଏହାର ପ୍ରଥମ ସଂସ୍କରଣ ମସ୍କଟରେ ଖେଳାଯାଇଥିଲା । ମୋଟ୍‌ ୩ଟି ଦଳ ଏଥିରେ ଭାଗ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.