କଟକରେ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୁରୀକୁ ଗଡିଲା ପ୍ରଥମ ବସ୍
16/09/2023 at 5:11 PM

କଟକ ୧୬।୯: କଟକ ସହରରେ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ୍ରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବସ୍ ଟର୍ମିନାଲ୍ ଲୋକାର୍ପିତ ହେବା ପରେ ପୁରୀକୁ ପ୍ରଥମ ବସ୍ ଗଡିଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହାସହ ଏକକାଳୀନ ୧୩ଟି ବୃହତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରାୟ ୧୬ ଏକର ଜାଗାରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ । ଏହି ବସ୍ ଟର୍ମିନାଲରେ ଏକକାଳୀନ ୧୯୨ଟି ବସ୍ ରହିପାରିବ । ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମାଗାର, ଶୌଚାଳୟ, ସପିଂ ମଲ୍, ଟ୍ୟାକ୍ସି ଏବଂ ଅଟୋ ରିକ୍ସା ଷ୍ଟାଣ୍ଡ ରହିଛି । ଏଥି ସହ ହାଇଟେକ୍ ଭୋଜନାଳୟର ମଧ୍ୟ ସୁବିଧା ପାଇପାରିବେ ଯାତ୍ରୀ । ଏଠାରେ ରହିଥିବା ଆହାର କେନ୍ଦ୍ର ଭିତରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ମଜା ନେଇପାରିବେ ଯାତ୍ରୀ । କ୍ଷୁଦ୍ର ତଥା ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ଲାଗି ୩୦ଟି ଦୋକାନ ଗୃହ ରହିଛି ।
ଏହି ବସ୍ ଟର୍ମିନାଲରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନଙ୍କ ବସିବା ପାଇଁ ୧୬୯୫ଟି ଚେୟାର ବ୍ୟବସ୍ଥା କରାଯାଇଥିବା ବେଳେ ରାତ୍ରିଯାପନ ପାଇଁ ୪ଟି ଡର୍ମିଟୋରିର ବ୍ୟବସ୍ଥା ହୋଇଛି । ଯେଉଁଥିରେ ୧୨୦ ଜଣ ଯାତ୍ରୀ ଶୋଇପାରିବେ । ୪୦ଟି ବ୍ଲକରେ ୧୨୨ଟି ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି । ଏଥି ସହ ୨୪ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଖାନନଗର, ବାଦାମବାଡ଼ି ଏବଂ ବେଲଭ୍ୟୁ ଛକ ଆଡ଼ୁ ୩ଟି ବସ୍ ରୁଟ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଯେଉଁ ରାସ୍ତା ଦେଇ ଯାତ୍ରୀବାହୀ ବସ୍ଗୁଡ଼ିକ ଭିନ୍ନ ଭିନ୍ନ ଦିଗରେ ଯିବା ଆସିବା କରିବେ ।
You Can Read :