କମିଶନର-କର୍ପୋରେଟର ମୁହାଁମୁହିଁ; ମେୟର ଓ କମିଶନରଙ୍କୁ ଚାବି ପକାଇଲେ କର୍ପୋରେଟର
8/12/2022 at 5:05 PM

କଟକ ୦୮/୧୨: କଟକ ମହାନଗର ନିଗମ (ସିଏମସି)ରେ କମିଶନର-କର୍ପୋରେଟର ମୁହାଁମୁହିଁ। କୌଣସି ଅଭିଯୋଗ ନେଇ ସବୁ ଦଳର କର୍ପୋରେଟରମାନେ କମିଶନରଙ୍କ ସହ ଆଲୋଚନା ବେଳେ କମିଶନର କର୍ପୋରେଟରମାନଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗ। ଫଳରେ କର୍ପୋରେଟରମାନେ ମିଶି କମିଶନର ଓ ମେୟରଙ୍କୁ ଅଫିସରେ ତାଲା ପକାଇ ଦେଇଥିଲେ। ସେମାନେ କମିଶନରଙ୍କ ତୁରନ୍ତ ବଦଳି ଦାବି କରି ଧାରଣାରେ ଦେଇଥିଲେ। ଉଭୟପକ୍ଷ ମଧ୍ୟରେ ବୁଝାମଣା ପାଇଁ ପ୍ରୟାସ କରିଥିବା ମେୟର କହିଛନ୍ତି।
ଖବର ଅନୁସାରେ, କଟକ ମହାନଗର ନିଗମରେ କମିଶନର ଓ କର୍ପୋରେଟରମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ଫଳରେ ଗୁରୁବାର ସବୁ ଦଳର କର୍ପୋରେଟରମାନେ ଏକାଠି ହୋଇ ସିଏମସି କାର୍ଯ୍ୟାଳୟରେ ତାଲା ପକାଇ କମିଶନରଙ୍କ ବିରୋଧରେ ନାରାବାଜି କରିଥିଲେ। କମିଶନର ଓ କର୍ପୋରେଟରମାନଙ୍କ ମଧ୍ୟରେ ଓ୍ବାର୍ଡ ପାଇଁ ନିୟୋଜିତ ଯନ୍ତ୍ରୀମାନଙ୍କୁ ନେଇ ଆଲୋଚନା ହେଉଥିଲା। ଅଧିକାଂଶ କର୍ପୋରେଟର ତାଙ୍କ ଓ୍ବାର୍ଡରେ ନିୟୋଜିତ ଯନ୍ତ୍ରୀମାନଙ୍କୁ ନବଦଳାଇବାକୁ କମିଶନରଙ୍କୁ ନିବେଦନ କରିଥିଲେ। ଏତିକିବେଳେ କମିଶନର କଟାକ୍ଷ କରି ‘ଯନ୍ତ୍ରୀମାନଙ୍କ ସହିତ ଆପଣଙ୍କର ଏତେ ପ୍ରେମ କାହିଁକି’? ବୋଲି କହିଥିବା କର୍ପୋରେଟରମାନେ କହିଛନ୍ତି। ଏଭଳି ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରି କର୍ପୋରେଟରମାନେ ସିଏମସି ଅଫିସରେ କମିଶନର ଓ ମେୟରଙ୍କୁ ତାଲା ପକାଇ ଦେଇଥିଲେ।

ସେପଟେ କମିଶନରଙ୍କ ତୁରନ୍ତ ବଦଳି ଦାବି କରି ସବୁ କର୍ପୋରେଟର ସିଏମସି ଅଫିସ ବାହାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ମେୟର ଓ କମିଶନର ବୁଝାମଣା ପାଇଁ ଆସିଥିଲେ ମଧ୍ୟ କ୍ଷୁବ୍ଧ କର୍ପୋରେଟରମାନେ ସେମାନଙ୍କ କଥା ଶୁଣି ନଥିଲେ। ଅନ୍ୟପଟେ ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା ପାଇଁ ପ୍ରୟାସ ଜାରି ରହିଛି ବୋଲି ମେୟର କହିଛନ୍ତି।