୨୦୧୯ ନିର୍ବାଚନ ପାଇଁ କଟକ ହେଉଛି ପ୍ରସ୍ତୁତ, ତିନି ଦଳର କଟକ ମୁଖିଆ କଣ କହୁଛନ୍ତି ଜାଣନ୍ତୁ

Published By : Prameya-News7 Bureau | February 26, 2019 IST

କଟକ୨୬|୨(ଦେବୀ ପ୍ରସାଦ ମହାନ୍ତି): ରାଜନୀତିର ସଂଜ୍ଞା କାହାପାଇଁ କଣ ହୋଇପାରେ, କିନ୍ତୁ କ୍ଷମତା ଲାଗି ହେଉଥିବା ଭୋଟ ରାଜନୀତିର ଅର୍ଥ କେବଳ ଗୋଟିଏ, ତାହା ହେଲା କେମିତିବି ହେଉ ଜନମତ ହାସଲ କର, ତାପରେ ଯାଇ ଗାଦିରେ ବସିବ । ସେହି ଦିଗରେ ଏବେ ଖୁବ ପରିଶ୍ରମ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି , ବିଜେପି ଓ କଂଗ୍ରେସ । ତେବେ କଟକର ରାଜନୈତିକ ମଇଦାନରେ, ବିଜେଡିର ପଲ୍ଲା ଏବେବି ଭାରି ଥିବା ଭଳି ଲାଗୁଛି, କାହିଁକିନା ଭୋଟ ରାଜନୀତିରେ ପ୍ରତିପକ୍ଷଙ୍କୁ କ୍ରମାଗତ ଭାବେ ୨ ଦୁଇ ଥର ମାତ ଦେଇସାରିଲାଣି ବିଜେଡି, ହେଲେ ବିଜେପି କହୁଛି, ଏଥର ପରିବର୍ତ୍ତନ ନିଶ୍ଚିତ, ତେଣେ କଂଗ୍ରେସର ଦାବି, ଶାସକ ଦଳର ଭୋଟବ୍ୟାଙ୍କ ପଲିସି ଏଥର ଆଉ କଟକ ସହରରେ କାମ ଦେବନାହିଁ…..

ରାଜନୀତି କରିବା ହୁଏତ କେତେଜଣଙ୍କର ସୌକ ହୋଇପାରେ, କିନ୍ତୁ କ୍ଷମତା ରାଜନୀତିରେ ଯୋଡି ହୋଇ ରହିଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଏବେ ଟେଷ୍ଟର ବେଳ, କାହିଁକିନା , ଆଗକୁ ଜନତା ସେମାନଙ୍କୁ ପରଖିବେ, ଏବଂ ସେମାନଙ୍କ ସପକ୍ଷରେ ହେଉ ଅବା ବିପକ୍ଷରେ ଭୋଟ ଦେବେ । ସେହି ଭୋଟ ରାଜନୀତିରେ ସାମିଲ ଥିବା କଟକ ସହରର ୩ ପ୍ରମୁଖ ଦାବେଦାର ମାନେ, ଏବେ ନିଜ ନିଜ ଢଙ୍ଗରେ ରାଜନୀତି କରିବା ଆରମ୍ଭ କରିଛନ୍ତି। ଶାସକ ଦଳ ବିଜେଡି କହୁଛି, ବେଶ ସାଇଣ୍ଟିଫିକ୍ ଢଙ୍ଗରେ ତାଙ୍କ ଦଳ ପରିଚାଳିତ, ଏବଂ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରି ବିଜେଡି ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିଛି । ତେଣୁ ଭୋଟ ରାଜନୀତିର କଥା ଆସିଲେ ,ବିଜେଡି ସମସ୍ତ ପ୍ରତିପକ୍ଷଙ୍କୁ ପଛରେ ପକାଇବାଟା ନିଶ୍ଚିତ ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ।

ତେଣେ କ୍ଷମତାର ଡୋରକୁ ଜାବୁଡି ଧରିବାଲାଗି ବିଜେପି କରୁଛି ପ୍ରାଣମୁର୍ଛା ଉଦ୍ୟମ ଏବଂ ବିଜେପି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଞିବନୀ ବୁଟି ସାଜିବେ ବୋଲି କହୁଛନ୍ତି ଦଳର ପ୍ରମୁଖ ନେତା ସମୀର ଦେ । ସମୀର ଏହା ମଧ୍ୟ କହୁଛନ୍ତି ଯେ,  ଏଥରର ନିର୍ବାଚନରେ ବିଜେଡି ସହିତ ବିରୋଧୀଙ୍କର ଲଢେଇ ହେବନାହଁ, ବରଂ କଟକର ଜନସାଧାରଣ ଶାସକ ଦଳ ସହିତ ଲଢେଇ କରିବେ ।

ହେଲେ ବିଜେଡି ଏବଂ ବିଜେପିର ଏଭଳି ରାଜନୈତିକ ଭାଷା ଠାରୁ ବେଶ୍ ଦୂରରେ ରହିଛି କଟକ ନଗର କଂଗ୍ରେସ । କଂଗ୍ରେସ ହେଉଛି ଏକ ଆନ୍ଦୋଳନ, ଏହା ଜନତାଙ୍କ ଆଦେଶକୁ ସବୁବେଳେ ମଥା ପାତି ଗ୍ରହଣ କରିନେଇଛି ବୋଲି ଯୁକ୍ତି ବାଢୁଛନ୍ତି ଦଳର ମଙ୍ଗୁଆଳ ମହମ୍ମଦ ମୁକିମ୍ । ସେ ଏହା ମଧ୍ୟ ସ୍ବୀକାର କରୁଛନ୍ତିଯେ, କଂଗ୍ରେସ ଭୋଟ ରାଜନୀତି କରିବା ଜାଣେନାହିଁ, ତେଣୁ କ୍ଷମତା ଠାରୁ ଏତେବର୍ଷ ହେଲା ଦୂରରେ ଅଛି. ତଥାପି ରାଜ୍ୟର ୨୬ ପ୍ରତିଶତ ଭୋଟର କଂଗ୍ରେସକୁ ପସନ୍ଦ କରୁଥିବା କହୁଛନ୍ତି ମୁକିମ୍ । କିନ୍ତୁ କଟକ ରାଜନୀତି ଉପରେ ତାଙ୍କର ମତ ହେଲା , ଶାସକ ଦଳର ନାଲିଆଖି ଏବଂ ପ୍ରଲୋଭନକୁ ଏଥ କଟକି ଭୋଟର ମାନେ ପ୍ରତ୍ୟାଖ୍ୟାନ କରିବେ ଏବଂ କଂଗ୍ରେସକୁ ବିଜୟୀ  କରାଇବେ କଟକର ଭୋଟର ମାନେ..

ଗତ ୩୫ ବର୍ଷ ଭିତରେ କଟକ ବିଧାନସଭା ଆସନରୁ କଂଗ୍ରେସ ଜିତି ପାରିନାହିଁ । ସେହିପରି ଏଠାରୁ କ୍ରମାଗତ ଭାବେ ୩ , ତିନିଥର ବିଜୟୀ ହୋଇଥିବା ବିଜେପି ଏବେ କଟକ ରାଜନୈତିକ ମାନଚିତ୍ରରେ ୩ୟ ସ୍ଥାନରେ । ତେଣୁ ଏସବୁ କିଛି ପ୍ରମାଣିତ କରୁଛିଯେ,କେବଳ ରାଜନୀତି ନୁହେଁ , ଭୋଟ ରାଜନୀତି କରିବାରେ ଯେଉଁ ଦଳ ଯେତେ ସକ୍ଷମ, ତାକୁ ଜନାଦେଶ ମିଳିବାର ସମ୍ଭାବନା ସେତେ ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.