ସଂଘର୍ଷରେ ଲେଖା ହେଲା ନୂଆ କାହାଣୀ, ଅସହାୟ ରାନୀ ହେବେ ଦୌଡରାଣୀ

Published By : Prameya-News7 Bureau | December 13, 2022 IST

କଟକ,୧୩/୧୨: ୨୦୧୦ ଅଗଷ୍ଟ ମାସ ସକାଳ । ଝିପି ଝିପି ବର୍ଷା ହେଉଥାଏ । ଯାଜପୁର ଜିଲ୍ଲାର ଷଠିପୁର ରାସ୍ତା କଡ଼ରେ ଦୁଷ୍କର୍ମ ଶିକାର ଜଣେ ୫/୬ ବର୍ଷ ବୟସର ଝିଅଟେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ିଥାଏ । ତା'ର ଏଭଳି ଅବସ୍ଥା ଦେଖି ଲୋକେ ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରିଥିଲେ । ଝିଅଟି ଓଡ଼ିଆ କହିପାରୁନଥାଏ କିମ୍ବା ନିଜ ଘର ଠିକଣା ମଧ୍ୟ କହିପାରିନଥିଲା ।

ସ୍ଥାନୀୟ ଲୋକେ ତାକୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିବା ପରେ ଉନ୍ନତ ଚିକିତ୍ସା ଆବଶ୍ୟକ ଥିବା କହିଥିଲେ । ଯେହେତୁ ସେତେବେଳେ ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) କାର୍ଯ୍ୟକାରୀ ହୋଇନଥାଏ ତେଣୁ ଚିକିତ୍ସା ସହିତ ଏହି କୁନି ଝିଅର ପୁନର୍ବାସ ଓ ଥଇଥାନ ପାଇଁ ଯାଜପୁରର କେତେଜଣ ସାମାଜିକକର୍ମୀ ଝିଅକୁ କଟକର ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଇ ଦେଇଥିଲେ ।

୨୦୧୦ ଅଗଷ୍ଟ ୨୫ ତାରିଖରେ ସେ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ବସୁନ୍ଧରାକୁ ଆସିଥିଲା । ବସୁନ୍ଧରା ପକ୍ଷରୁ ତା'ର ଅଧିକ ଚିକିତ୍ସା ପାଇଁ ତାକୁ ଶିଶୁଭବନ ଓ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇଥିଲା ସେ । ବସୁନ୍ଧରାରେ ତା'ର ନାଁ ରାନୀ (ଛଦ୍ମନାମ) ରଖାଯାଇଥିଲା । ଯେହେତୁ ରାନୀର ଘର, ପରିବାର, ଆତ୍ମୀୟସ୍ୱଜନଙ୍କ ବିଷୟରେ କିଛି ଜଣାନଥିଲା ତେଣୁ ରାନୀକୁ ପୋଷ୍ୟରେ ପଠାଇବା ପାଇଁ ବସୁନ୍ଧରା ପକ୍ଷରୁ ଉଦ୍ୟମ କରାଯାଇଥିଲା । ୨୦୧୧ ମସିହାରେ ରାନୀକୁ ପୋଷ୍ୟରେ ପଠାଇବା ପାଇଁ ଲିଗାଲ ଫ୍ରି ଘୋଷଣା କରାଯାଇଥିଲା ।

ମାତ୍ର କେହି ରାନୀକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ରାନୀ ଏବେ କିଶୋରୀ । ସେ ଚୌଦ୍ୱାରର ସାମାଜିକ ଅନୁଷ୍ଠାନ ‘ସର୍ଭାଣ୍ଟ ଇଣ୍ଡିଆ ସୋସାଇଟି’ର ଜଣେ ଅନ୍ତେବାସୀ । ନିଜ ପରିଚୟ ନିଜେ ସୃଷ୍ଟି କରିବା ପାଇଁ ସେ ବଦ୍ଧପରିକର । ଖେଳକୁଦରେ ଯଥେଷ୍ଟ ଆଗ୍ରହ ରଖୁଥିବା ରାନୀ ଜିଲ୍ଲାସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ସହିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିସାରିଛନ୍ତି । ଭବିଷ୍ୟତରେ ନିଜକୁ ଜଣେ ପ୍ରତିଷ୍ଠିତ ଦୌଡ଼ାଳି ଭାବେ ଗଢ଼ି ତୋଳିବା ପାଇଁ ରାନୀ କସରତ ଚଳାଇଛନ୍ତି ।

ତେବେ ରାନୀଙ୍କ ଜୀବନର ସଂଘର୍ଷ କାହାଣୀ ସେତିକିରେ ଶେଷ ହୋଇନି । କୋମଳମତି ବୟସରେ ବଳାତ୍କାରର ଶିକାର ହେବା ପରେ ତାଙ୍କ ମାନସିକ ଅବସ୍ଥା ଏକପ୍ରକାର ବିଗିଡ଼ି ଯାଇଥିଲା । ବସୁନ୍ଧରାରେ ଥିବା ସମୟରେ ସେ ଦୁଇ ଥର ଲୁଚି କରି ପାଚେରି ଡେଇଁ ପଳାଇଥିଲେ । ଥରେ ତାଙ୍କୁ ବିଶାଖାପାଟଣା ଓ ଆଉ ଥରେ ପୁନେରୁ ଉଦ୍ଧାର କରାଯାଇ ବସୁନ୍ଧରାକୁ ଫେରାଇ ଅଣାଯାଇଥିଲା ।

୨୦୧୮ ମସିହାରେ ତୃତୀୟଥର ପାଇଁ ଲୁଚି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଯାଇଥିଲେ ଏହାପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ଅଧ୍ୟକ୍ଷା ମନ୍ଦାକିନୀ ଜେମା ବ୍ୟକ୍ତିଗତ ଭାବେ ରାନୀଙ୍କୁ ଭେଟି ତାଙ୍କୁ କାଉନ୍‌ସେଲିଂ କରିଥିଲେ । ଏଠାରେ କ’ଣ ଅସୁବିଧା ହେଉଛି କି ବୋଲି ପଚାରିଥିଲେ । ରାନୀ କହିଥିଲେ ତାଙ୍କର ପାଠ ହେଉନି । ଖେଳିବାକୁ ତାଙ୍କର ଇଛା । ଏହାପରେ ଅଧ୍ୟକ୍ଷା ଜେମା ତାଙ୍କୁ ଖେଳିବାର ସବୁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ, ତୁମ ସହ ପ୍ରତି ସପ୍ତାହରେ ଥରେ ଦୁଇଥର ଫୋନ୍‌ରେ କଥା ହେବି । ତୁମର ଯାହା ଅଭାବ ଅସୁବିଧା ଅଛି ଜଣାଇଲେ ସେସବୁ ପୂରଣ କରିବି । କିନ୍ତୁ ଲୁଚି ପଳାଇବାକୁ ଚେଷ୍ଟା କରିବ ନାହିଁ । ଏହାପରେ ରାନୀଙ୍କୁ ବସୁନ୍ଧରାରୁ ଚୌଦ୍ୱାରର ସର୍ଭାଣ୍ଟ ଇଣ୍ଡିଆ ସୋସାଇଟିକୁ ସ୍ଥାନାନ୍ତର କରାଯାଇଥିଲା । ରାନୀ ସେଠାରେ ୨୦୧୮ ମସିହାରୁ ରହିବା ସହିତ ଦୌଡ଼ ଅଭ୍ୟାସ କରୁଛନ୍ତି ।

ଅନ୍ୟପକ୍ଷରେ ୨୦୧୦ରେ ରାନୀ ବଳାତ୍କାରର ଶିକାର ହୋଇଥିଲେ । ଆଇପିସିର ୩୭୬ ଧାରାରେ ସେ ଜଣେ ପୀଡିତା ଥିଲେ । କିନ୍ତୁ ଅଦ୍ୟାବଧି ରାନୀ ପୀଡ଼ିତା କ୍ଷତିପୂରଣ ରାଶି (ଭିକ୍ଟିମ୍‌ କମ୍ପେନ୍‌ସେସନ୍‌) ପାଇବାରୁ ବଞ୍ଚିତ ହୋଇଛନ୍ତି ଯାହା ଏବେ ତାଙ୍କ ଭବିଷ୍ୟତକୁ ଅଧିକ ଅନ୍ଧକାରମୟ କରିଛି । ଇତିମଧ୍ୟରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଜେମା ଯାଜପୁର ଜିଲ୍ଲା ଜଜ୍‌ଙ୍କ ସହ ଯୋଗାଯୋଗ କରିଛନ୍ତି । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଭାବେ ଜେମାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି । ତଥାପି ଏହି ସମୟ ଭିତରେ ହେଉ କିମ୍ବା କାର୍ଯ୍ୟକାଳ ଶେଷ ହେବା ପରେ ହେଉ ରାନୀ ପାଇଁ କ୍ଷତିପୂରଣ ରାଶି କେମିତି ମଞ୍ଜୁର ହେବ ସେ ବ୍ୟବସ୍ଥା କରିବେ ବୋଲି ଜେମା କହିଛନ୍ତି । ଅତି କମ୍‌ରେ ରାନୀ ଯଦି ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଏ ତେବେ ସେହି ଟଙ୍କାକୁ ବିନିଯୋଗ କରି ସେ ନିଜ ଭବିଷ୍ୟତ ଗଢ଼ିପାରିବ ବୋଲି ଜେମା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.