କଟକ ଜିଲ୍ଲାପାଳଙ୍କ ମିଶନ୍ 'ଜିରୋ-ଏଫ୍' : ଜାଣନ୍ତୁ କ’ଣ

Published By : Prameya-News7 Bureau | October 01, 2019 IST

କଟକ ୧|୧୦:  କଟକ ଜିଲ୍ଲାରେ ମାଧ୍ୟମିକ ଶିକ୍ଷାର ମାନ ବୃଦ୍ଧି ଓ ଦଶମ ଶ୍ରେଣୀରେ ପାସ୍ ହାର ବଢାଇବା ପାଇଁ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ମିଶନ୍ ଜିରୋ-ଏଫ୍ । ଅର୍ଥାତ୍ ନିର୍ଦ୍ଧିଷ୍ଟ ଖସଡା ପ୍ରସ୍ତୁତ କରି ଜିଲ୍ଲାର ସ୍କୁଲ୍ ଗୁଡିକରେ ମାଟ୍ରିକ୍ ପରୀକ୍ଷାରେ ଯେଭଳି ଜଣେ ବି ଫେଲ୍ ନହୁଅନ୍ତି, ସେଥିପାଇଁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସେପଟେ ଶିକ୍ଷକ ମାନେ ଏପରି ପଦକ୍ଷେପକୁ ସ୍ବାଗତ କରିଛନ୍ତି କିନ୍ତୁ ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହରେ ଅଛନ୍ତି ।

{"id":165052}

କଟକରେ ଆରମ୍ଭ ହେଲା ମିଶନ୍ ଜିରୋ-ଏଫ୍ । ଅର୍ଥାତ୍ କଟକ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ଯେପରି କେହି ଫେଲ୍ ନହୁଅନ୍ତି ସେଥିପାଇଁ ପ୍ରୟାସ କରିବାକୁ ଖସଡା ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ । ୨୦୧୮-୧୯ ଶିକ୍ଷା ବର୍ଷରେ କଟକ ଜିଲ୍ଲାରେ ୨୮ ହଜାର ୮୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ମାତ୍ର କୃତକାର୍ଯ୍ୟ ହୋଇଥିଲେ ୨୩ ହଜାର ୧୯୭ ଜଣ । ଏହି ଫେଲ୍ ହାରକୁ କମାଇବା ପାଇଁ ଜିଲ୍ଲା ପ୍ରଶାସନ ପାଠରେ ଦୁର୍ବଳ ଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର କୋଚିଂ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛି । ଏହାସହ ସ୍ବଇଚ୍ଛାରେ ଚାରି ଚାରି ଜଣ ପାଠପଢାରେ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଦାୟିତ୍ବ ନେବା ପାଇଁ ଯୁବକ ଯୁବତୀମାନଙ୍କୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

{"id":165053}

ଏହି ମିଶନକୁ ସଫଳ କରିବା ପାଇଁ ପ୍ରତି ଉଚ୍ଚ ବିଦ୍ୟାଳୟ ପାଇଁ ଜଣେ ସରକାରୀ ପଦାଧିକାରୀଙ୍କୁ ନିୟୋଜିତ କରାଯାଉଛି । ଏହା ସହ ପାଠରେ ସାମାନ୍ୟ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜିଲ୍ଲାର ସରକାରୀ ଅଧିକାରୀ , ମହାବିଦ୍ୟାଳୟ ମାନଙ୍କରୁ ବରିଷ୍ଠ ଛାତ୍ର ଛାତ୍ରୀ ସ୍ୱେଚ୍ଛାସେବୀ  ଓ କୁଶଳୀ ଶିକ୍ଷାବିତ୍ ଙ୍କୁ ନେଇ  ୭ ହଜାର ୫ଶହ ଜଣ ମେଣ୍ଟର ନିଃଶୁଳ୍କ ସେବା ପ୍ରଦାନ କରିବାକୁ ଯୋଜନା କରାଯାଇଛି । ସଫଳ ମେଣ୍ଟର ମାନଙ୍କୁ ଜିଲ୍ଲା ସ୍ତରରେ ସମ୍ମାନୀତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଶିକ୍ଷକ ମାନେ ଏହି ଯୋଜନାକୁ ସ୍ବାଗତ କରିଥିବା ବେଳେ ପାଠ ପଢାରେ ଅତ୍ୟନ୍ତ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା କେତେ ଉପକୃତ ହେବେ ସେ ନେଇ ସନ୍ଦେହରେ ଅଛନ୍ତି ।

{"id":165054}

କଟକ ଜିଲ୍ଲାରେ ଥିବା ୪୮୭ ଟି ଉଚ୍ଚ ବିଦ୍ୟାଳୟ ରହିଛି । ବ୍ଲକ୍ ସ୍ତରରେ ବିଡିଓମାନଙ୍କ ଅଧ୍ୟକ୍ଷତାରେ ପ୍ରତି ସ୍କୁଲ୍ ପାଇଁ ଗୋଟିଏ ଗୋଟିଏ କମିଟି ଗଠନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.