ଚଳିତ ବର୍ଷ ଶହେ ଏକର ଜାଗାରେ ହେବ କଟକ ବାଲିଯାତ୍ରା, ଷ୍ଟଲ୍ ସଂଖ୍ୟା ୧୬ଶହ କରିବାକୁ ଲକ୍ଷ୍ୟ

Published By : Prameya-News7 Bureau | August 20, 2022 IST

କଟକ ୨୦।୮: ଚଳିତ ବର୍ଷ କଟକ ବାଲିଯାତ୍ରାର କଳେବର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେଥିପାଇଁ ପ୍ରାୟ ଶହେ ଏକର ଜାଗା ଚିହ୍ନଟ କରାଯିବ । ଷ୍ଟଲ୍ ସଂଖ୍ୟା ପ୍ରାୟ ୧୬ ଶହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ୨ ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେବାକୁ ଯାଉଛି, ତେଣୁ ଭିଡ ନିୟନ୍ତ୍ରଣ, ଟ୍ରାଫିକ ମ୍ୟାନେଜମେଣ୍ଟ ଏବଂ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରିବା ଲାଗି ଅଧିକ ଗୁରୁତ୍ଵ ଦିଆଯାଇଛି ।

ଏଥର କଟକର ଐତିହାସିକ ବାଲିଯାତ୍ରା ହେବାଟା ଏକ ପ୍ରକାର ନିଶ୍ଚିତ । ଯେହେତୁ କରୋନା କାଳରେ ଯାତ୍ରା ହୋଇପାରିନଥିଲା, ତେଣୁ ଏଥର ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ହେବାର ସମ୍ଭାବନା ରହିଛି । ସେହି କାରଣରୁ ଯାତ୍ରାର ଯଥେଷ୍ଟ ସମୟ ଆଗରୁ ସମସ୍ତ ବିଭାଗ ସହ ସମନ୍ବୟ ବୈଠକ ଡାକିଛନ୍ତି ଜିଲ୍ଲାପାଳ । ବାଲିଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶହେ ଏକର ସ୍ଥାନରେ ଯାତ୍ରା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଷ୍ଟଲ୍ ସଂଖ୍ୟା ପ୍ରାୟ ୧୬ ଶହକୁ ବୃଦ୍ଧି କରିବାକୁ ଚିନ୍ତା କରିଛି ପ୍ରଶାସନ ।

ଟ୍ରାଫିକ କଣ୍ଟ୍ରୋଲ ପାଇଁ ରିଙ୍ଗ ରୋଡକୁ ଲାଗି ଆଉ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବୈଠକରେ ପ୍ରସ୍ତାବ ଆସିଛି । ପାର୍କିଂ ଲାଗି ଅଧିକ ସ୍ଥାନ ବାହାର କରିବା ଏବଂ ରାସ୍ତା ନିର୍ମାଣ ପାଇଁ ନିର୍ମାଣ ବିଭାଗକୁ ଦାୟିତ୍ବ ଦିଆଯାଇଛି । ଏହା ସହି ସାଂସ୍କୃତିକ ସନ୍ଧ୍ୟା ପାଇଁ ଦୁଇଟି ମଞ୍ଚ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ବାଲିଯାତ୍ରା କିପରି ଜାତୀୟ ମେଳାର ମାନ୍ୟତା ପାଇବ ଏବଂ ଯାତ୍ରା ଆୟୋଜନ ପାଇଁ କିପରି ଅଧିକ ସରକାରୀ ଅନୁଦାନ ମିଳିପାରିବ ସେଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି ।

ଏଥର ବାଲିଯାତ୍ରାରେ ମହାନଦୀରେ ନୌକା ବିହାର କରିବାକୁ ମଧ୍ୟ ସୁଯୋଗ ମିଳିବ । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କଳାକାରମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବାର ମଧ୍ୟ ସୁଯୋଗ ଉପଲବ୍ଧ କରାଇବ ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.