କଟକ ୦୩/୦୭ : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଓ ଏସ.ସି.ବି ମେଡିକାଲ ଆଇସୋଲେସନ ଓ୍ବାର୍ଡରୁ ୧୧ ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ପ୍ରଶାସନ। ଉଭୟ ହସପିଟାଲରୁ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେପଟେ ଉଭୟ ହସ୍ପିଟାଲକୁ ସିଏମସି ପକ୍ଷରୁ ବିଶୋଧନ ପ୍ରକ୍ରିୟା ଚାଲିଛି । ଏପଟେ ବିଏମ୍ସି ଅଞ୍ଚଳରେ ଥିବା ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବାହାରୁ ନିର୍ମାଣ ଶ୍ରମିକ ଆଣିବା ଉପରେ ରୋକ ଲଗାଇଛି ପ୍ରଶାସନ ।…
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଏବେ ଚିନ୍ତା ବଢ଼ାଇଛି। ଏକା ସଙ୍ଗେ ଗତକାଲି ୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ। ହସ୍ପିଟାଲକୁ ସାନିଟାଇଜ କରାଯାଇଛି। ହସ୍ପିଟାଲର ଆଉଟ୍ ଡୋରକୁ ବନ୍ଦ ରଖାଯାଇଛି। ଯେଉଁ ରୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇଛି । ଏମିତି ଆଶଙ୍କା ଓ ଭୟଭିତରେ ରହୁଥିବା କର୍କଟ ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ଏବେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି । ହସ୍ପିଟାଲରେ ଯେମିତି ବନ୍ଦୀ ହୋଇଯାଇଛନ୍ତି ରୋଗୀ ଏବଂ ସେମାନଙ୍କ ସଂପର୍କିୟ ।
ରୋଗୀଙ୍କ ସଂପର୍କିୟ ଏହାର ଭିଡିଓ ସେୟାର କରିଛନ୍ତି। ସେମାନେ କେଉଁ ଭଳି ଭୟରେ ରହୁଛନ୍ତି ତାହା ବଖାଣିଛନ୍ତି । ଏବେ ବାହାରକୁ ଯିବା ମନା । ତେଣୁ ଆଟେଣ୍ଡାଣ୍ଟ ମାନେ ଵାହାରୁ ମଧ୍ୟ ଖାଦ୍ୟ କିଣି ପାରୁ ନାହାନ୍ତି । ସେପଟେ ଯେଉଁ ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇପାରୁ ନାହାନ୍ତି । ତେଣୁ ଆଶଙ୍କା ଓ ଅର୍ଦ୍ଧାହାରରେ କ୍ୟାନସର ହସ୍ପିଟାଲର ଅଧିକାଂଶ ରୋଗୀ ଓ ଆଟେଣ୍ଡାଣ୍ଟ।
ସେପଟେ ଜିଲ୍ଲାପାଳ କହିଛନ୍ତି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅଧିକରୁ ଅଧିକ କରୋନା ପରୀକ୍ଷା କରିବା ପାଇଁ ଉଦ୍ୟମ ଜାରିରହିଛି । ଏହାସହ ଆକ୍ରାନ୍ତଙ୍କ ସହ ମିଶିଥିବା ଲୋକଙ୍କକଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି । କେନ୍ଦ୍ରରୁ ପ୍ରାୟ ୪୦୦ ସାମ୍ପୁଲ ପରୀକ୍ଷା ହୋଇଛି। ଆହୁରି କିଛି ରିପୋର୍ଟ ଆସିବାକୁ ବାକି ରହିଛି । ସେହିଭଳି ଗତକାଲି ଏସ.ସି.ବି ମେଡିକାଲ ଆଇସୋଲେସନ ଓ୍ବାର୍ଡରୁ ୧୧ କରୋନା ପଜେଟିଭ ଚିହ୍ନଟ ପରେ ସେମାନଙ୍କୁ ମଧ୍ୟ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲକୁ ଲଗାତର ବିଶୋଧନ କରାଯାଉଛି ।
ସେପଟେ ଭୁବନେଶ୍ବରରେ ମଧ୍ୟ ହସ୍ପିଟାଲକୁ ବିଭିନ୍ନ ଅଞ୍ଚଳରୁ ରୋଗୀ ଆସୁଛନ୍ତି। ସେଥିପାଇଁ ଅଧିକ ସତର୍କ ରହିବାଲାଗି ବିଏମସି ଚେତାଇ ଦେଇଛି। ହଟସ୍ପଟ ଅଞ୍ଚଳରୁ ଆସୁଥିବା ରୋଗୀଙ୍କୁ ପୃଥକ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି | ସେହିପରି ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ୩୧ ଜୁଲାଇ ପର୍ଯ୍ୟନ୍ତ ବାହାର ରାଜ୍ୟକୁ ନିର୍ମାଣ ଶ୍ରମିକ ଆଣିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ବିଏମ୍ସି ଅଞ୍ଚଳରେ ଧାରଣା ଓ ବିକ୍ଷୋଭ ବେଆଇନ କରାଯାଇଛି । ସେହିଭଲି ବିଏମ୍ସିର ନୂଆଗାଁ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛିବିଏମସି ।
ଏବେ ଯେକୌଣସି ରୋଗୀଙ୍କ ସ୍ବାବ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍ସି କମିଶନର । ଏବେ ଯେକେହି ଚାହିଁଲେ ଘରୋଇ ଲ୍ୟାବ୍ ରେ ପରୀକ୍ଷା କରାଇପାରିବେ । ଏଥିପାଇଁ ଚାର୍ଜ ୨୨୦୦ଟଙ୍କାରୁ ଅଧିକ ହେବନାହିଁ ବୋଲି ସ୍ବାସ୍ଥ୍ୟବିଭାଗ କହିଛନ୍ତି ।