ଭୁବନେଶ୍ଵରରେ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ୧୨ ଘଣ୍ଟିଆ କଟକଣା, ଘୋଷଣା କଲେ ପୋଲିସ କମିଶନର
4/05/2020 at 6:42 PM

ଭୁବନେଶ୍ଵର ୦୪।୦୫: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ଵରକୁ ଅରେଞ୍ଜ ଜୋନ୍ରୁ ଆଣି ରେଡ୍ ଜୋନ୍ରେ ସାମିଲ କରିବା ପରେ ଆଜି ଆଉ ଏକ ବଡ ଘୋଷଣା ହୋଇଛି। ଆଜିଠୁ ରାଜଧାନୀରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କଟକଣା ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ଭୁବନେଶ୍ଵର ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ। ଏହା ପୂର୍ବରୁ ଆଜି ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଘୋଷଣା କରିଥିଲେ।
ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଲକ୍ଡାଉନ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆଜିଠୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ଏହି ସମୟରେ ଜରୁରୀକାଳୀନ କାମକୁ ବାଦ୍ ଦେଲେ ଅନ୍ୟ ସବୁ ଗତିବିଧି ଉପରେ ରୋକ୍ ଲଗାଯାଇଛି। ତେଣୁ ଆପଣ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରୁଛି । ସମସ୍ତ ଜରୁରୀକାଳୀନ କାମ ଏବଂ ସେବା ଏହି କଟକଣାରୁ ବାଦ୍ ଦିଆଯାଇଛି।
ଉଲ୍ଲେଖନୀୟ ଦେଶବ୍ୟାପୀ ଲକ୍ଡାଉନ୍ ୩.୦ ଆଜିଠୁ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ରାଜଧାନୀ ଭୁବନେଶ୍ଵରରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଘୋଷଣା କରାଯାଇଛି। ଏହି ସମୟରେ କୌଣସି ପ୍ରକାରର କାମ ହୋଇ ପାରିବ ନାହିଁ। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁ ପ୍ରକାରର ଗତିବିଧି ଉପରେ ରୋକ୍ ଲଗାଯାଇଛି।
ସରକାରୀ ଆଦେଶ ଅନୁସାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଅଣ ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ରହିବ। ସ୍ଥାନୀୟ ପ୍ରଶାସନ ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବା ପାଇଁ ସିଆରପିସିର ଧାରା ୧୪୪ ଅନ୍ତର୍ଗତ କର୍ଫ୍ୟୁର ଘୋଷଣା ମଧ୍ୟ କରି ପାରିବେ। ସମସ୍ତ ଜୋନରେ ଗର୍ଭବତୀ ମହିଳା, ୬୫ ବର୍ଷରୁ ଅଧିକ ବୟସର ବୃଦ୍ଧ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଘରେ ରହିବା ଜରୁରୀ।