ଜାରି ହେଲା CTET-2024 ପାଇଁ ବିଜ୍ଞପ୍ତି, ଜାନୁଆରୀରେ ହେବ ପରୀକ୍ଷା
3/11/2023 at 6:35 PM

ନୂଆଦିଲ୍ଲୀ: ସିଟିଇଟି ଜାନୁଆରୀ ୨୦୨୪ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରିଛି ସିବିଏସଇ। ଯେଉଁ ଆଶାୟୀ କେନ୍ଦ୍ରୀୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଅଫିସିଆଲ ଓ୍ବେବସାଇଟ ctet.nic.inକୁ ଯାଇ ଆବେଦନ କରିପାରିବେ। ସିଟିଇଟି ପରୀକ୍ଷା ୨୦୨୪ ଜାନୁଆରୀ ୨୧ରେ ହେବ। ଏଥିପାଇଁ ଅନଲାଇନ ଆବେଦନର ଶେଷ ତାରିଖ ୨୦୨୩ ନଭେମ୍ବର ୨୩ରେ ରହିଛି। ସିଟିଇଟି ପରୀକ୍ଷା ଚଳିତ ଥର ୧୩୫ ସହରରେ ୨୦ ଟି ଭାଷାରେ ହେବ।
ସୂଚନା ଥାଉକି, ସିବିଏସଇ ପ୍ରତି ବର୍ଷ ଦୁଇ ଥର ସିଟିଇଟି ପରୀକ୍ଷା ଆୟୋଜିତ କରିଥାଏ। ପ୍ରଥମ ପରୀକ୍ଷା ଜୁଲାଇ ଏବଂ ଦ୍ବିତୀୟଟି ଡିସେମ୍ବରରେ ଆୟୋଜିତ କରାଯାଇଥାଏ। ଏହି ପରୀକ୍ଷାରେ ଉତୀର୍ଣ୍ଣ ହେଉଥିବା ପରୀକ୍ଷାର୍ଥୀ ଦେଶରେ କେନ୍ଦ୍ରୀୟ ବିଦ୍ୟାଳ, ନବୋଦୟ ବିଦ୍ୟାଳୟ ଏବଂ ଆର୍ମୀ ସ୍କୁଲ୍ରେ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।
ସିଟିଇଟି ପେପର-୧ରେ ଭାଗ ନେଉଥିବା ଆଶାୟୀ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହେଉଥିବା ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ। ସେହିଭଳି ପେପର-୨ରେ ଭାଗ ନେଉଥିବା ଆଶାୟୀ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହେଉଥିବା ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସିଟିଇଟି ସାର୍ଟିଫିକେଟର ମାନ୍ୟତା ଆଜୀବନ ରହିବ।
ଏଭଳି ରହିଛି ପରୀକ୍ଷା ଫିସ୍:
ସିଟିଇଟି ପେପର-୧ କିମ୍ବା ୨ ପାଇଁ ସାଧାରଣ ବର୍ଗ ଏବଂ ଓବିସି ବର୍ଗଙ୍କ ପାଇଁ ୧୦୦୦ ଟଙ୍କା ରହିଛି। ସେହିଭଳି ଉଭୟ ପେପର ପାଇଁ ୧୨୦୦ ଟଙ୍କା ରହିଛି।
ତେବେ ଏସସି, ଏସଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପେପର-୧ କିମ୍ବା ପେପର-୨ ପାଇଁ ୫୦୦ ଟଙ୍କା ରହିଥିବାବେଳେ, ଉଭୟ ପେପର ପାଇଁ ୬୦୦ ଟଙ୍କା ରହିଛି।
ପରୀକ୍ଷା ସମୟ ଏବଂ ତାରିଖ:
ସିଟିଇଟି ପେପର-୨ର ପରୀକ୍ଷା ଜାନୁଆରୀ ୨୧ ସକାଳ ସାଢ଼େ ୯ଟାରୁ ୧୨ଟା ରହିଛି। ସେହିଭଳି ପେପର-୧ ପରୀକ୍ଷା ଦିନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ରହିଛି।