ସିଲଭର ସିଟିରେ ଜମିବ ପୂଜା, ଦେଖିବାକୁ ମିଳିବ ଆକର୍ଷଣୀୟ ତୋରଣ: ବାଦାମବାଡ଼ିରେ ବାହୁବଳୀ, ଖାନନଗରରେ ଅମରନାଥ

Published By : Prameya-News7 Bureau | September 07, 2022 IST

କଟକ ୦୭/୦୯: ଦୁଇ ବର୍ଷ ପରେ ଜମିବ ପୂଜା । ଶାରଦୀୟ ପାର୍ବଣର ମାହୋଲ ନେବେ କଟକିଆ । ଆଉ ଦିନ କେଇଟା ପରେ ପୂଜା ପାଇବେ ଜଗତଜନନୀ । ଦଶହରା ଯେତିକି ପାଖେଇ ଆସୁଛି ଉତ୍ସାହ, ଉତ୍କଣ୍ଠା ସେମିତି ବଢ଼ିବାରେ ଲାଗିଛି । ଏବର୍ଷ ଦଶହରା ବିନା କଟକଣାରେ ପାଳିତ ହେବ । ଚଳିତ ବର୍ଷ ୮ଟି ସ୍ଥାନରେ ତୋରଣ ହେଉଥିବା ବେଳେ ବାକି ୧୬୫ଟି ପୂଜା କମିଟିରେ ଲାଇଟ୍‌ ଗେଟ୍‌ ବା କପଡ଼ା ଗେଟ୍‌ ହେଉଥିବା ଜଣାପଡ଼ିଛି ।

କଟକ ସହରରେ ୧୭୩ ପୂଜା କମିଟିରେ ଦଶହରା ପୂଜା ହୋଇଥାଏ । ପୂଜାର ମାହୋଲ ତୋରଣରୁ ହିଁ ଜଣା ପଡ଼ିଯାଇଥାଏ । ମାସକ ଆଗରୁ ଏସବୁ କାମ ଆରମ୍ଭ ହୋଇଯାଇଥାଏ । ଚଳିତ ବର୍ଷ ଖାନନଗରଖପୁରିଆ ଶିଳ୍ପାଞ୍ଚଳ ଦୁର୍ଗାପୂଜା କମିଟି, ବାଦାମବାଡ଼ି ପୂଜା କମିଟି, ଚାନ୍ଦିନୀଚୌକ ପୂଜା କମିଟି, ମାଲଗୋଦାମ ପୂଜା କମିଟି, ଶିଖରପୁର ପୂଜା କମିଟି, ଛତ୍ରବଜାର ପୂଜା କମିଟି ଏବଂ ସିଡିଏର ଦୁଇଟି ପୂଜା କମିଟିକୁ ମିଶାଇ ମୋଟ ୮ ଟି ପୂଜା କମିଟି ପକ୍ଷରୁ ତୋରଣ ହେଉଛି ।

ଖାନନଗରରେ ଅମରନାଥ ମନ୍ଦିରର ତୋରଣ ନିର୍ମାଣ ହେଉଥିବା ବେଳେ ବାଦାମବାଡ଼ିରେ ବାହୁବଳୀ ସେଟ୍‌ର ତୋରଣ ହେଉଛି, ଯାହା ଚଳିତ ବର୍ଷର ସବୁଠାରୁ ଆକର୍ଷଣୀୟ ତୋରଣ ହେବ ବୋଲି କୁହାଯାଉଛି । ସେହିଭଳି ଚଳିତ ବର୍ଷ ୧୮୫ ଜଣ ଲାଇଟ୍‌ ଓ ସାଉଣ୍ଡ ବ୍ୟବସାୟୀ ବିଭିନ୍ନ ପୂଜା କମିଟିରେ ଲାଇଟ୍‌ ଗେଟ୍‌ ଲଗାଇବାକୁ ବରାଦ ପାଇଛନ୍ତି ।

କଟକର ସବୁଠାରୁ ପୁରୁଣା ଓ ଜଣାଶୁଣା ‘କୁମାର ଲାଇଟ୍‌’ ଏଥିପାଇଁ କୋଲକାତାରୁ ବିଭିନ୍ନ ଡିଜାଇନ୍‌ର ଲାଇଟ୍‌ ଆଣିଥିବା ‘ଲାଇଟ୍‌ ଓ ସାଉଣ୍ଡ ଆସୋସିଏସନ୍‌’ର ସଭାପତି ନରେନ୍ଦ୍ର କୁମାର ସାହୁ କହିଛନ୍ତି । ୨ ବର୍ଷ ପରେ ଜାକଜମକରେ ଦଶହରା ପାଳନ ହେଉଥିବାରୁ ସହରକୁ ଝଲସେଇ ଦେବା ଭଳି ଲାଇଟ୍‌ ଲାଗିବ ବୋଲି ବିଭିନ୍ନ ଲାଇଟ୍‌ ବ୍ୟବସାୟୀମାନେ କହିଛନ୍ତି । ସେହିପରି ତୋରଣ ନିର୍ମାଣ କରିବା ପାଇଁ କୋଲକାତାରୁ କାରିଗର ଆସିଛନ୍ତି ବୋଲି ତୋରଣ କରୁଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.