ଶେଷ ଆଇପିଏଲ୍ ଖେଳିବେ କ୍ୟାପଟେନ୍ କୁଲ୍ ! ସାମ୍ନାକୁ ଆସିଲା ମ୍ୟାଚର ତାରିଖ…

Published By : Prameya-News7 Bureau | February 21, 2023 IST

ମୁମ୍ବାଇ ୨୧।୦୨ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲରେ ନିଜର ଜଲଓ୍ବା ଦେଖାଉଛନ୍ତି । ନିଜ ନେତୃତ୍ଵରେ ୪ ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିଅନ କରାଇଛନ୍ତି । କିନ୍ତୁ ଏବେ କ୍ୟାପଟେନ କୁଲଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର । କାରଣ ଚଳିତ ବର୍ଷ ହିଁ ଆଇପିଏଲ ହିଁ ଧୋନୀଙ୍କ ଶେଷ ଆଇପିଏଲ୍ ହେବ । ବିଶ୍ଵର ସବୁଠୁ ବଡ ଘରୋଇ କ୍ରିକେଟ୍ ଲିଗରୁ ଅବସର ନେବେ ଧୋନୀ । ଏନେଇ ସାମ୍ନାକୁ ଆସିଛି ତାଙ୍କର ଶେଷ ମ୍ୟାଚ୍ ଖେଳିବାର ତାରିଖ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଯେଉଁଥିରେ ଆସନ୍ତା ମାର୍ଚ୍ଚ ୩୧ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିସହ CSK ପାଇଁ ଧୋନୀଙ୍କ ଶେଷ ଆଇପିଏଲ୍ ସିଜନ୍ ହେବ । ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଜନୈକ ଅଧିକାରୀ କହିଛନ୍ତି, ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫରେ ସ୍ଥାନ ପାଇବାରେ ଅସମର୍ଥ ହୁଏ, ତେବେ ଧୋନୀ ମଇ ୧୪ରେ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିବେ।

ଧୋନୀଙ୍କ ନେତୃତ୍ୱରେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ୪ ଥର ଟାଇଟଲ ହାତେଇଛି । ଦଳ ୨୦୧୦,୨୦୧୧,୨୦୧୮ ଏବଂ ୨୦୨୧ରେ ଚାମ୍ପିଅନ୍ ହେବାରେ ସଫଳ ହୋଇଛି । ଧୋନୀ ୨୦୦୮ ମସିହାରୁ ଦଳର ନେତୃତ୍ୱ ନେଉଛନ୍ତି । ତେବେ ଗତ ବର୍ଷ ରବୀନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ ଦିଆଯାଇଥିଲା । ଯାହା ଚେନ୍ନାଇ ପାଇଁ ଭାରୀ ପଡିଥିଲା ।

କୋଭିଡ ମହାମାରୀରେ ସମସ୍ତ ଫର୍ମାଟରୁ ହଠାତ୍ ଅବସର ନେଇଥିଲେ କ୍ୟାପଟେନ କୁଲ୍ । ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଗ୍ରହଣ କରିଥିଲେ । ଆଇପିଏଲରେ ସେ ଚେନ୍ନାଇ ପାଇଁ ତାଙ୍କ ଶେଷ ମ୍ୟାଚ୍ ଖେଳିବାକୁ ଚାହୁଁଥିଲେ, କିନ୍ତୁ କରୋନା କାରଣରୁ ଏହା ହୋଇପାରିଲା ନଥିଲା । ଯାହା ଚଳିତ ସିଜନରେ ଘଟିପାରେ । କିନ୍ତୁ ଏନେଇ କ୍ୟାପଟେନ କୁଲଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.