ଧୋନୀଙ୍କ ଭବିଷ୍ୟତ ଉପରେ CSK ସିଇଓ କାଶୀ ବିଶ୍ୱନାଥଙ୍କ ବୟାନ, ଫ୍ୟାନ୍ସଙ୍କ ପାଇଁ ଭଲ ଖବର

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମଏସ୍ ଧୋନୀ ଗତ ସପ୍ତାହରେ ଆରସିବି ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବା ପରେ ଚୁପ୍ ଚାପ୍ ଘରକୁ ଫେରିଗଲେ । ଆଇପିଏଲ୍ ୨୦୨୩ରେ ଟ୍ରଫି ଜିତିବା ପରେ ଧୋନୀ କହିଥିଲେ ଯେ ସେ ଆଗାମୀ ସିଜିନ୍ (ଆଇପିଏଲ ୨୦୨୪) ଫ୍ୟାନ୍ସଙ୍କ ପାଇଁ ଖେଳିବାକୁ ଚାହୁଁଛନ୍ତି । କାରଣ ଫ୍ୟାନ୍ସ ପ୍ରତି ମ୍ୟାଚ୍‌ରେ ତାଙ୍କୁ ସପୋର୍ଟ କରିଥିଲେ ଏବଂ ଭାବୁକ ମଧ୍ୟ ଥିଲେ । ତେବେ ଚଳିତ ସିଜିନରେ ସିଏସ୍‌କେର ଯାତ୍ରା ଶେଷ ହେବା ପରେ ଏମ୍‌ଏସ୍ ଧୋନୀ କିଛି ବୟାନ ନଦେଇ ଚାଲି ଯାଇଥିଲେ । ଯେଉଁଥି ପାଇଁ ପ୍ରଶଂସକ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ କରିଛନ୍ତି । ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥ ଗୁରୁବାର ଫ୍ରାଞ୍ଚାଇଜି ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଏମ୍‌ଏସ୍ ଧୋନୀଙ୍କ ଭବିଷ୍ୟତ ପ୍ଲାନକୁ ନେଇ ନିଜ ପକ୍ଷ ରଖିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥ କହିଛନ୍ତି, 'ମୁଁ ଜାଣି ନାହିଁ (ଧୋନୀଙ୍କ ଭବିଷ୍ୟତ ବିଷୟରେ), ଏହି ପ୍ରଶ୍ନର ଉତ୍ତର କେବଳ ଏମ୍‌ଏସ୍ ଧୋନୀ ଦେଇପାରିବେ । ଦେଖନ୍ତୁ, ଆମେ ସବୁବେବେଳ ଧୋନୀଙ୍କ ନେଇଥିବା ନିଷ୍ପତ୍ତିର ସମ୍ମାନ କରିଛୁ । ଆମେ ଏହା ତାଙ୍କ ଉପରେ ଛାଡ଼ିଛୁ ଏବଂ ଯେପରି କି ଆପଣ ସମସ୍ତେ ଜାଣନ୍ତି ଯେ ସେ ସବୁବେଳେ ନିଜ ନିଷ୍ପତ୍ତି ନିଅନ୍ତି ଏବଂ ଉଚିତ୍ ସମୟରେ ଏହାର ଘୋଷଣା କରିଛନ୍ତି ।

ସେ କହିଛନ୍ତି, 'ଆମେ ବିଶ୍ୱାସ ରଖିଛୁ ଯେ ଯେତେବେଳେ ସେ ନିଷ୍ପତ୍ତି ନେବେ ଆମକୁ ଜଣାଇବେ । କିନ୍ତୁ ଆମେ ପୂରା ଆଶାବାଦୀ ଯେ ସେ ଆଗାମୀ ବର୍ଷ ସିଏସକେ ପାଇଁ ଉପଲବ୍ଧ ରହିବେ । ପ୍ରଶଂସକଙ୍କ ଏବଂ ମୋର ଏହା ହିଁ ବିଚାର ଏବଂ ଆଶା ।'

ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ସିଏସକେର କ୍ୟାପ୍ଟେନ୍ସି ଛାଡ଼ିଥିଲେ । ଫ୍ରାଞ୍ଚାଇଜି ଋତୁରାଜ ଗାଏକୱାଡଙ୍କୁ ଟିମ୍‌ର ଅଧିନାୟକ କରିଥିଲା । ଧୋନୀ କେବଳ ୱିକେଟକିପର ବ୍ୟାଟର ଭାବେ ଖେଳିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.