ଖୋର୍ଦ୍ଧା ୦୨/୧୧: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆଞ୍ଚଳିକ କ୍ରସର ମାଲିକ ସଂଘର ବିକ୍ଷୋଭ ପ୍ରଦର୍ଶନ। ସମସ୍ତ କ୍ରସର ଖୋଲିବାକୁ ଅନୁମତି ଏବଂ ଅନୁମତି ପ୍ରାପ୍ତ କ୍ରସରକୁ କଞ୍ଚାମାଲ ସଂଗ୍ରହ ବ୍ୟବସ୍ଥା ଦାବିରେ ଆଜି ତାପଙ୍ଗ ପାଖରେ ଥିବା ଆଞ୍ଚଳିକ କ୍ରସର ମାଲିକ ସଙ୍ଘ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ଦେଇଛି। ସଂଘ ଅଧୀନରେ ସମୁଦାୟ ୪୨୬ଟି କ୍ରସର ଅଛି। ସେଥିରୁ ୧୯୦ଟି କ୍ରସର ମାଲିକଙ୍କୁ ୨୦୦୭-୨୦୧୯ ମସିହା ମଧ୍ୟରେ ଅପରେଟିଂ ଅନୁମତି ପ୍ରଶାସନ ପକ୍ଷରୁ ମିଳିଛି। ୨୦୧୯ ମସିହାରୁ ଅନ୍ୟ ମାଲିକଙ୍କୁ ଅପରେଟିଂ ଦେବାକୁ ସଂଘ ଅନୁରୋଧ କରିଆସୁଛି।
ତେବେ ନିକଟରେ ୨୭ ଜଣ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ହେଲେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୪ଟି ଖଣିକୁ ପଥର ଉତ୍ତୋଳନ ପାଇଁ ଅନୁମତି ମିଳିଛି। ମାତ୍ର ନିଲାମଧାରୀଙ୍କ ପାଖରେ ବ୍ଲାଷ୍ଟିଂ ଅନୁମତି ନଥିବାରୁ ପ୍ରଶାସନ ତାକୁ ବନ୍ଦ କରିଦେଇଛି। ଫଳରେ ଖୋଲାଥିବା କ୍ରସର ମାଲିକମାନେ କଞ୍ଚାମାଲ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଏହି ସମସ୍ୟା ସମାଧାନର ବ୍ୟବସ୍ଥା କରିବାକୁ ସଂଘ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛି। ନଚେତ୍ ଆଗାମି ୭ଦିନ ମଧ୍ୟରେ ଆନ୍ଦୋଳନ ହେବ ବୋଲି ସଂଘ ଚେତାବନୀ ଦେଇଛି।