ଅଶୋଧିତ ତୈଳ ୯୦ ଡଲାର ନିକଟତର, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଆଶା କ୍ଷୀଣ
7/09/2023 at 10:21 AM

ନୂଆଦିଲ୍ଲୀ ୦୭/୦୯: ସାଉଦି ଆରବ ଏବଂ ରୁଷ ଚଳିତବର୍ଷ ଶେଷ ଯାଏ ଉତ୍ପାଦନ ଏବଂ ରପ୍ତାନି ହ୍ରାସ ଜାରି ରଖିବା ପାଇଁ ଘୋଷଣା କରିଛନ୍ତି । ଏହା ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାର ନିକଟତର ହୋଇଛି । ୧୦ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଦର ।
ଏଭଳି ସ୍ଥିତିରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ଆଶା ଧୀରେ ଧୀରେ କ୍ଷୀଣ ହେଉଛି । ଭାରତ ଏହାର ତୈଳ ଆବଶ୍ୟକତାର ୮୫%ରୁ ଅଧିକକୁ ଆମଦାନି ଜରିଆରେ ପୂରଣ କରିଥାଏ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଦ୍ୱାରା ରାଜକୋଷରୁ ଅଧିକ ଅର୍ଥରାଶି ଯିବ । ଏହାସହିତ ବର୍ତ୍ତମାନ ସ୍ଥିତିରେ ବଜାର ପରିଚାଳିତ ପେଟ୍ରୋଲ ଏବଂ ଡିଜେଲ ଦର ବ୍ୟବସ୍ଥାକୁ ପୁଣି ଲାଗୁ କରାଯାଇପାରେ ବୋଲି ଅନୁମାନ ରହିଛି ।
ପେଟ୍ରୋଲିୟମ୍ ରପ୍ତାନିକାରୀ ରାଷ୍ଟ୍ର ସଂଘର ନେତୃତ୍ୱ ନେଉଥିବା ସାଉଦି ଆରବ ଡିସେମ୍ବର ଶେଷ ଯାଏ ବିଶ୍ୱକୁ ଏହାର ଦୈନିକ ତୈଳ ଯୋଗାଣରେ ୧୦ ଲକ୍ଷ ବ୍ୟାରେଲ ହ୍ରାସ ଜାରି ରଖିବ ବୋଲି ଘୋଷଣା କରିଛି । ଏହି ନିଷ୍ପତ୍ତି ଘୋଷଣା ପରେ ଗତ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍ ଦର ପ୍ରାୟ ୬.୫% ବୃଦ୍ଧି ପାଇଛି । ରୁଷର ଏହି ପଦକ୍ଷେପ ଯୋଗୁ ଚଳିତବର୍ଷ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୯୦ ଡଲାର ନିକଟତର ହୋଇଛି ।
ତୈଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତ ଆମଦାନି କରୁଥିବା ତୈଳ ବାସ୍କେଟ ବ୍ୟାରେଲ ପିଛା ୮୯.୮୧ ଡଲାର ରହିଛି, ଯାହାକି ଅଗଷ୍ଟରେ ୮୬.୪୩ ଡଲାର ଥିଲା । ମେ’ ଏବଂ ଜୁନ୍ରେ ଏହା ବ୍ୟାରେଲ ପିଛା ୭୩ରୁ ୭୫ ଡଲାର ମଧ୍ୟରେ ଥିଲା । ଜୁଲାଇରେ ଏହା ୮୦.୩୭ ଡଲାରକୁ ବଢ଼ିଥିଲା । ବର୍ତ୍ତମାନ ଏହା ୯୦ ଡଲାର ନିକଟତର ।
ବଜାର ଦରଠାରୁ କମ୍ରେ ଇନ୍ଧନ ବିକ୍ରି ବାବଦ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ସେମାନଙ୍କ ପିଛିଲା କ୍ଷତି ଭରଣା କରି ଲାଭରେ ଚାଲିଛନ୍ତି । ଏହାମଧ୍ୟରେ ଆଶା କରାଯାଉଥିଲା, ନିକଟ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିବ । କିନ୍ତୁ ବର୍ତ୍ତମାନ ଅଶୋଧିତ
ତୈଳର ବର୍ଦ୍ଧିତ ଦର ଏହି ଆଶାକୁ କ୍ଷୀଣ କରୁଛି ।