ବିଦେଶ ବଜାରରେ ହ୍ରାସ ହେଲା ତୈଳ ଦର, ଭାରତରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ!

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ ୧୦।୮: ବିଦେଶ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହୋଇଛି। ଏହାକୁ ମାନ୍ଦାବସ୍ଥାର ପ୍ରଭାବ ବୋଲି କୁହାଯାଉଛି। ମାନ୍ଦାବସ୍ଥା ଯୋଗୁ ଆମେରିକା ସମେତ ବୃହତ୍ତ ମହାଶକ୍ତିମାନେ ପେଟ୍ରୋଲିୟମ ପଦାର୍ଥର ଖର୍ଚ୍ଚ ହ୍ରାସ କରିଛନ୍ତି। ଏଣୁ ବଜାରରେ ଚାହିଦା ନଥିବାରୁ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହୋଇଛି। ଇଣ୍ଡଷ୍ଟ୍ରିର ତଥ୍ୟାନୁସାରେ ଗତ ସପ୍ତାହରେ ଆମେରିକାର ଅଶୋଧିତ ତୈଳ ଡିପୋଜିଟ ଢେର ବଢି ଯାଇଛି। ଏଣୁ ଚାହିଦା ହ୍ରାସ ହୋଇଥିବା କୁହାଯାଇଛି।

ଅଶୋଧିତ ତୈଳ ମୂଲ୍ୟ ହ୍ରାସର ପ୍ରଭାବ ଉଣା ଅଧିକେ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ଉପରେ ପଡିଛି। ତେବେ ଭାରତରେ ଅନେକ ଦିନରୁ ତୈଳ ମୂଲ୍ୟସ୍ଥିର ରହିଛି,  ହେଲେ ପୂର୍ବାପେକ୍ଷା ମୂଲ୍ୟ ଉଚ୍ଚା ରହିଛି। ଏକ ରିପୋର୍ଟ ଅନୁସାରେ ଆମେରିକୀୟ କ୍ରୁଡ ଷ୍ଟକ୍ ଗତ ସପ୍ତାହରେ ଅର୍ଥାତ ଅଗଷ୍ଟ ୫ ତାରିଖ ବେଳକୁ ୨.୨ଲକ୍ଷ ବାରଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏଣୁ ବ୍ରେଣ୍ଟ କ୍ରୁଡ ଦରରେ ୬ ସେଣ୍ଟ ପର୍ଯ୍ୟନ୍ତ ହ୍ରାସ ସହ ବାରଲପିଛା ଦର ୯୬.୨୫ ଡଲାରକୁ ଖସି ଯାଇଛି। ସେହି ଅନୁସାରେ ଦେଖିଲେ ଟେକ୍ସାସ ଇଣ୍ଟରମି଼ଡିଏଟରେ ୧୬ ସେଣ୍ଟ ହ୍ରାସ ସହ ବାରଲ ପିଛା ଦର ୯.୩୪ ଡଲାରକୁ ପହଞ୍ଚିଛି।

{"id":668954,"width":839,"height":521,"sizeSlug":"full","linkDestination":"none"}

ଅନ୍ୟ ଏକ ଖବର ଅନୁସାରେ ଋଷିଆରୁ ୟୁରୋପର ଡ୍ରୁଜବାକୁ ଯୋଗା ଯାଉଥିବା ପାଇପ୍‌ ଲାଇନରେ ଯୋଗାଣ ନିଲମ୍ବିତ କରିଦିଆଯାଇଛି। କାରଣ ପାଇପଲାଇନ ୟୁକ୍ରେନ ଦେଇ ଯାଇଛି। ଯଦି ଯୋଗାଣ ପ୍ରଭାବିତ ରହେ ତେବେ ତୈଳ ଦରରେ ବୃଦ୍ଧି ହୋଇପାରେ। ଋଷିଆର ପାଇପଲାଇନ ତୈଳ ଯୋଗାଣ ଉପରେ ପାଶ୍ଚାତ୍ୟ ଦେଶମାନେ କଟକଣା ଜାରି କରିଛନ୍ତି। କଟକଣା ଯୋଗୁ ଋଷିଆକୁ ତୈଳ ବାବଦ ପଇସା ମିଳୁନଥିବା ବେଳେ ଯୋଗାଣ ସସପେଣ୍ଡ କରିଦେଇଛି। ଋଷିଆର ଏପରି ପଦକ୍ଷେପ ମଧ୍ୟ ୟୁରୋପକୁ ତୈଳ ଯୋଗାଣ ବାଧପ୍ରାପ୍ତ ହେବା ସହ ଦର ବଢିବ।

ତେବେ ଭାରତରେ ଅନେକ ସମୟରୁ ତୈଳ ଦରସ୍ଥିର ରହିଛି। ତେବେ ଲୋକେ ମୂଲ୍ୟ ହ୍ରାସକୁ ଅପେକ୍ଷା କରିଛନ୍ତି। ଏଥିରେ ପେଟ୍ରୋଲିୟମ କମ୍ପାନୀଙ୍କ କାରବାରକୁ ଦେଖିଲେ ମୂଲ୍ୟରେ ସେପରି ହ୍ରାସର ସମ୍ଭାବନା କମ୍। ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ପାଇଁ ତୈଳ କମ୍ପାନୀଙ୍କୁ ଗତ ତ୍ରୈମାସିକରେ ୧୮,୪୮୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ସରକାରୀ କ୍ଷେତ୍ରର ୩ ତୈଳ କମ୍ପାନୀଙ୍କ ଅନୁସାରେ ଏପ୍ରିଲ-ଜୁନ ତ୍ରୈମାସିକରେ ତୈଳ ଦର ନ ବଢାଇବା ଯୋଗୁ ସେମାନଙ୍କ କ୍ଷତି ଢେର ବଢି ଯାଇଛି।

{"id":668955,"sizeSlug":"full","linkDestination":"none"}

ଦେଶରେ ତୈଳ କମ୍ପାନୀମାନଙ୍କୁ ଦୈନିକ ମୂଲ୍ୟ ସୁଧାର ଲାଗି କ୍ଷମତା ପ୍ରଦାନ କାରଯାଇଛି। ତେବେ ବଜାରରେ ଖୁଚୁରା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଗତ ୪ ମାସ ହେଲା ପେଟ୍ରୋଲ ଦର ହ୍ରାସ କି ବୃଦ୍ଧି ହୋଇନାହିଁ। ତେବେ ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଲାଗି ତୈଳ କମ୍ପାନୀଙ୍କ କ୍ଷତି ବଢି ବଢି ଚାଲିଛି। ଏହି ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ବାବଦ ବର୍ଦ୍ଧିତ ଖର୍ଚ୍ଚ ମଧ୍ୟ ବଢାଇ ନାହାନ୍ତି। ଏଣୁ ଅନ୍ତର୍ଜାତୀୟ ବଜାରରେ ହୋଇଥିବା ମୂଲ୍ୟ ହ୍ରାସରେ ଦେଶରେ ତୈଳ ମୂଲ୍ୟ କମିବ କି କମ୍ପାନୀଙ୍କ କ୍ଷତି ଭରଣା ଲାଗି ସ୍ଥିର ରହିବ ତାହା ଏବେ ଦେଖିବାର କଥା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.