ଯବାନଙ୍କ ପାଇଁ CRPF ଜାରି କଲା ନୂଆ ସୋସିଆଲ ମିଡିଆ ନିୟମ, ରାଜନୀତିକ ଟିପ୍ପଣୀ କଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ, ୨୦/୦୧: ଦେଶର ସବୁଠୁ ବଡ଼ ଅର୍ଦ୍ଧସାମରିକ ବଳ କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆରପିଏଫ୍) କର୍ମଚାରୀଙ୍କ ପାଇଁ ନୂଆ ସୋସିଆଲ ମିଡିଆ ମାର୍ଗଦର୍ଶିକା ଜାରି କରିଛି। ଯେଉଁଥିରେ କର୍ମଚାରୀଙ୍କୁ ବିବାଦୀୟ ମନ୍ତବ୍ୟ କିମ୍ବା ରାଜନୀତିକ ପ୍ରସଙ୍ଗରେ ଟିପ୍ପଣୀ କରିବାକୁ ବାରଣ କରାଯାଇଛି। ସୂଚନା ଥାଉ ଗତ ସପ୍ତାହରେ ସିଆରପିଏଫ୍ ଦୁଇ ପୃଷ୍ଠାର ନିର୍ଦେ୍ଦଶ ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ ଅର୍ଦ୍ଦସାମରିକ ବଳ କର୍ମଚାରୀ ନିଜ ବ୍ୟକ୍ତିଗତ ଅଭିଯୋଗର ସମାଧାନ ପାଇଁ ସୋସିଆଲ ମିଡିଆର ସାହାରା ନେଉଛନ୍ତି। ଏଭଳି କରିବା ସେଣ୍ଟ୍ରାଲ ସିଭିଲ୍‌ ସର୍ଭିସ୍‌ (ସିସିଏସ) ଆଚରଣ ନିୟମ ୧୯୬୪ର ଉଲ୍ଲଂଘନ ଏବଂ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ପୋଷ୍ଟିଂ ଏବଂ କାମ ବିଷୟରେ ଖୁଲାସା କରିପାରିବେ ନାହିଁ:

ଏହି ପ୍ରସଙ୍ଗରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘‘ସାଇବର ଧମକ ଏବଂ ଉତ୍ପୀଡ଼ନ’’ ବିରୋଧରେ ଜାଗ୍ରତ କରିବା ତଥା ଏହି ପ୍ରସଙ୍ଗରେ ଯବାନଙ୍କୁ ସମ୍ବେଦନଶୀଳ କରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଉଛି। ଏଥିରେ ‘କ’ଣ ନ କରିବା’ ଏବଂ ‘କ’ଣ କରିବା’ ନେଇ କୁହାଯାଇଛି। ଏଥିରେ କୁହାଯାଇଛି କେହି କର୍ମୀ କୌଣସି ସମ୍ବେଦନଶୀଳ ମନ୍ତ୍ରାଳୟ କିମ୍ବା ସଂଗଠନରେ କାମ କରିବା ସମୟରେ ନିଜ ସଠିକ୍ ପୋଷ୍ଟିଂ ଏବଂ କାମ ବିଷୟରେ ଖୁଲାସା କରିପାରିବେନାହିଁ।

ରାଜନୀତିକ ମାମଲାରେ ଟିପ୍ପଣୀ କରନ୍ତୁ ନାହିଁ:

ବିବୃତ୍ତିରେ ଆହୁରି କୁହାଯାଇଛି ସରକାର କିମ୍ବା ନିଜର ପ୍ରତିଷ୍ଠାକୁ ହାନି ପହଞ୍ଚାଉଥିବା ଭଳି ସୋସିଆଲ ମିଡିଆରେ କିଛିବି କରନ୍ତୁ ନାହିଁ। ସରକାରୀ ନୀତି ବିରୋଧରେ ଟିପ୍ପଣୀ କରନ୍ତୁ ନାହିଁ କିମ୍ବା କୌଣସି ସାର୍ବଜନିକ ମଞ୍ଚରେ ରାଜନୀତିକ କିମ୍ବା ଧାର୍ମିକ ବୟାନ ନଦେବାକୁ କର୍ମଚାରୀଙ୍କୁ କହିଛି ସିଆରପିଏଫ୍। ଏଭଳି କୌଣସି ବିବାଦୀୟ, ସମ୍ବେଦନଶୀଳ କିମ୍ବା ରାଜନୀତିକ ମାମଲାରେ ଟିପ୍ପଣୀ କରନ୍ତୁ ନାହିଁ ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ।

ମାର୍ଗଦର୍ଶିକାରେ କୁହାଯାଇଛି କ୍ରୋଧରେ କିମ୍ବା ନିଶାସକ୍ତ ଅବସ୍ଥାରେ କୌଣସି ପୋଷ୍ଟ କରନ୍ତୁ ନାହିଁ। ଆହୁରି ମଧ୍ୟ ଅହିତକର ନହେଲେ ଯେପରି ଯେମିତିକି ଜନ ସମସ୍ୟା, ପଦୋନ୍ନତି, ସ୍ଥାନୀୟ ଆଦେଶ ଆଦି ବିଷୟରେ ପୋଷ୍ଟ କରନ୍ତୁ ନାହିଁ । କାରଣ ଏଭଳି ସୂଚନା ବିରୋଧୀଙ୍କୁ ଗୁଇନ୍ଦା ସୂଚନା ଏକତ୍ର କରିବା ଅବସର ଦେଇପାରେ।

ପ୍ଲାଟଫର୍ମରେ କିଛି ବି ଲେଖୁଥିଲେ ଏଥିପାଇଁ ନିଜେ ଦାୟୀ:

ତେବେ ସିଆରପିଏଫ୍ କର୍ମୀଙ୍କୁ ‘କ’ଣ କରିବା’ ଦରକାର ଏନେଇ ସ୍ପଷ୍ଟ କରିଛି। ତଥ୍ୟ ଏବଂ ନିଷ୍ପତ୍ତି ମଧ୍ୟରେ ବିଭେଦ ଜାଣିବା ଜରୁରୀ ବୋଲି କୁହାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛିବି କରିବା ପୂର୍ବରୁ ଏହା ନିଶ୍ଚୟ କରନ୍ତୁ ​‌ଯେ ଆପଣ ସରକାରଙ୍କ ସ୍ଥିତିର ପ୍ରତିନିଧିତ୍ବ କରୁନାହାଁନ୍ତି। କୌଣସି ପ୍ଲାଟଫର୍ମରେ କିଛି ବି ଲେଖୁଥିଲେ ଏଥିପାଇଁ ଆପଣ ନିଜେ ଦାୟୀ ବୋଲି ମନେରଖନ୍ତୁ ବୋଲି କହିଛି ସିଆରପିଏଫ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.