କ୍ରୁରତାର ସବୁ ସୀମା ପାର : ଝିଅ ଜନ୍ମ ହେବାରୁ ସ୍ତ୍ରୀ ଉପରେ ଗରମ ପାଣି ଢାଳିଦେଲା ସ୍ବାମୀ

Published By : Prameya-News7 Bureau | August 20, 2021 IST

ଶାହାଜାହାନପୁର ୨୦/୦୮ : ସମ୍ପ୍ରତି ଆଜିର ଦିନରେ ବିଭିନ୍ନ କ୍ଷେତ୍ରରେ ଝିଅମାନେ ପୁଅମାନଙ୍କ ଠାରୁ ବେଶ ଆଗରେ ରହୁଛନ୍ତି । ଧିରେଧିରେ ସମାଜରେ ଝିଅମାନଙ୍କ ନେଇ ଘୃଣାଭାବ କମହେବାରେ ଲାଗିଛି । ଝିଅଜନ୍ମ ହେବା ସୌଭାଗ୍ୟର କଥା ବୋଲି କହାଯାଉଛି । କିନ୍ତୁ କିଛି ଅଞ୍ଚଳରେ ଆଜିବି ହୀନ ମାନସିକତା ଦେଖିବାକୁ ମିଳୁଛି । ଉତ୍ତର ପ୍ରଦେଶର ଶାହଜାହାନପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରିଦେଇଛି ନୃଶଂସ ସ୍ବାମୀ । ଖବରରୁ ଜଣାପଡ଼ିଛି କି, ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କ ଉପରକୁ ଗରମ ପାଣି ପକାଇଛି । କାରଣ ହେଉଛି ପୁଅ ବଦଳରେ ଝିଅ କାହିଁକି ଜନ୍ମ ନେଲା ।

ଘଟଣା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ଗରମ ପାଣି ଦେହରେ ପଡ଼ିବାରୁ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୀଡ଼ିତାଙ୍କର ୩ ଝିଅ ଅଛନ୍ତି ।

ଘଟଣା ବାବଦରେ ଏସ୍‌ପି ସଞ୍ଜୀବ ବାଜପେୟୀ କହିଛନ୍ତି, ୨୦୧୩ରେ ତାଙ୍କର ବିବାହ ହୋଇଥିଲା। ଅଭିଯୁକ୍ତ ସ୍ୱାମୀ ମହିଳାଙ୍କୁ ତାଙ୍କ ବାପ ଘରୁ ୫୦ହଜାର ଟଙ୍କା ଆଣିବାକୁ ଚାପ ମଧ୍ୟ ପକାଉଥିଲେ। ସେ ନିଜ ସ୍ତ୍ରୀଙ୍କୁ ବହୁତ ହଇରାଣ କରୁଥିଲେ। ଏପରିକି ତାଙ୍କୁ ଖାଇବାକୁ ଦେଉନଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।  ଅଭିଯୁକ୍ତ ସ୍ବାମୀଙ୍କ ନାଁ ସତ୍ୟପାଲ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ବାପା ଜ୍ୱାଇଁଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି। ତେବେ ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.