ଲୁଣା ନଦୀରେ କୁମ୍ଭୀର ଆତଙ୍କ, ଗାଧୋଇବା ବେଳେ କଲା ଆକ୍ରମଣ
6/09/2023 at 3:46 PM

ମାର୍ଶାଘାଇ ୬।୯: କେନ୍ଦ୍ରାପଡା ରାଜନଗର ପରେ ମାର୍ଶାଘାଇରେ କୁମ୍ଭୀର ଆତଙ୍କ । ନଦୀରେ ଗାଧାଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କରିବାକୁ ମାଡ଼ି ଆସିଲା ୮ ଫୁଟ ଲମ୍ବର କୁମ୍ଭୀର । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ନଦୀ କୂଳିଆ ଗ୍ରାମବାସୀ ଆତଙ୍କିତ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ କଷୋଟିବାଲି ଗାଁରେ କୁମ୍ଭୀର ଆତଙ୍କ । ଗାଁ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀରେ ଗତ କିଛି ଦିନ ହେବ କୁମ୍ଭୀର ଚଳପ୍ରଚଳ ହେଉଥିବା ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କୈଳାସ ବେହେରା ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ୮ ଫୁଟ ଲମ୍ବର କୁମ୍ଭୀର ହଠାତ କୈଳାସଙ୍କ ନିକଟକୁ ପାଣିରେ ପହଁରି ପହଁରି ମାଡି ଆସିଥିଲା ।
କୈଳାସ କୁମ୍ଭୀର ଆସୁଥିବା ଦେଖି ଛାନିଆ ହୋଇ ଉପରକୁ ଚାଲି ଆସିଥିଲେ । କୁମ୍ଭୀର ଆସି କୈଳାସ ଗାଧୋଉଥିବା ସ୍ଥାନରେ ପହଞ୍ଚି ପାଣିରେ ବୁଡି ରହିଲା । କୁମ୍ଭୀରକୁ ଦେଖିବା ପରେ କୈଳାସ ଅଧା ଗାଧୋଇ ଛାନିଆ ହୋଇ ପାଣିରୁ ଉପରକୁ ଉଠି ଆସିଥିଲେ । କିଛି ଦୂରରେ ଛେଳି ଚରାଉଥିବା ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀମାନେ କୈଳାସ ଗାଧୋଉଥିବା ସ୍ଥାନରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଲେ କୁମ୍ଭୀର ସେଠାରୁ ପଳାଇ ଯାଇଥିବା ଦେଖିବାକୁ ପାଇଥିଲେ । ଏହି ଖବର ପାଇବା ପରେ ନଦୀ କୂଳ ଗାଁରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

କୁମ୍ଭୀର ଆକ୍ରମଣର ଶିକାର ହୋଇ ଜନଜୀବନ କ୍ଷୟକ୍ଷତି ହେଉଥିବା ଘଟଣା ଦିନକୁ ଦିନ ବଢିଚାଲିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଦିନକୁ ଦିନ କୁମ୍ଭୀର ଆକ୍ରମଣରେ ଆହତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକମାନଙ୍କ ସୁରକ୍ଷା ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି ।
You Can Read :