ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବାଘା ଜତୀନଙ୍କ ସହଯୋଗୀ ରହିଥିବା ବାଲେଶ୍ବର ଜେଲ୍‌ର ସେଲ୍‌ରେ ଏବେ ରଖାଯାଉଛି ସୁଶୀଲ ଧଳସାମନ୍ତ ଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ, ଭୁଲିଗଲେ ସ୍ମାରକୀ କଥା

Published By : Prameya-News7 Bureau | October 30, 2019 IST

ବାଲେଶ୍ବର ( ସର୍ବେଶ୍ବର ନାଥ ) ୩୦|୧୦: ବାଲେଶ୍ବର ଜେଲ୍‌ର ଯେଉଁ ସେଲରେ ଦିନେ ସହିଦ ବାଘା ଯତୀନଙ୍କ ଭଳି ଦେଶପ୍ରେମୀଙ୍କ ସହଯୋଗୀ ରହିଥିଲେ, ସେଇ ସେଲ୍‌ରେ ଏବେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯାଉଥିବାରୁ ଏନେଇ ଆପତ୍ତି ଉଠାଇଛନ୍ତି ସହରର କିଛି ବୁଦ୍ଧିଜୀବୀ । ଏହା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ ବୋଲି ସେମାନେ ଅନୁଭବ କରୁଛନ୍ତି । ଏଥି ସହ ସହିଦ ବାଘା ଯତୀନଙ୍କ ସ୍ମାରକୀ ଭାବେ ଏହି ସେଲ୍‌କୁ ବ୍ୟବହାର କରିବାକୁ ସେମାନେ ଜେଲ୍‌ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

{"id":177032}

ବାଲେଶ୍ବର ଜେଲ୍‌ରେ ଥିବା ଏହି ୩ନମ୍ବର ସେଲ୍‌ ଉପରେ ଟିକେ ନଜର ପକାନ୍ତୁ । ୧୮୪୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କାରାଗାରରେ ଦିନେ ବନ୍ଦୀ ଜୀବନ କଟାଇଥିଲେ ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନ୍‌ଙ୍କ ସହଯୋଗୀ ନୀରେନ୍‌ ଦାସଗୁପ୍ତା, ମନୋରଞ୍ଜନ ସେନ୍‌ଗୁପ୍ତାଙ୍କ ଭଳି ଦେଶପ୍ରେମୀ । ଦେଶ ମାତୃକା ପାଇଁ ଯେଉଁମାନଙ୍କ ସଂଗ୍ରାମ ସେତେବେଳେ ବ୍ରିଟିସ୍‌ ସରକାର ଆଖିରୁ ନିଦ ହଜାଇଦେଇଥିଲା ।

{"id":177034}

ବାଲେଶ୍ବର ଜେଲ୍‌ର ଏହି ୩ନମ୍ବର ସେଲ୍‌ରେ ସେମାନଙ୍କୁ ବନ୍ଦୀ କରି ରଖିବା ସହ ଜେଲ୍‌ ପରିସରରେ ହିଁ ଏହି ମହାନ୍‌ ଦେଶଭକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦେଇଥିଲା ବ୍ରିଟିସ୍‌ ସରକାର । ସ୍ବାଧୀନତା ସଂଗ୍ରାମୀ ଜ୍ୟୋତିଷ ପାଲ ମଧ୍ୟ ଏହି ଜେଲ୍‌ରେ କିଛି ଦିନ ରହିବା ପରେ ତାଙ୍କୁ ଆଣ୍ଡାମାନ୍‌ ନିକୋବର ବା ସେତେବେଳର କଳାପାଣିକୁ ପଠାଇଦିଆଯାଇଥିଲା । ବାଲେଶ୍ବର ଜେଲ୍‌ ସହ ଜଡ଼ିତ ଏସବୁ ଇତିହାସକୁ ଏବେ ଯେମିତି ଭୁଲି ଯାଇଛନ୍ତି ଜେଲ୍‌ କର୍ତ୍ତୃପକ୍ଷ ।

{"id":176993}

ଦିନେ ସ୍ବାଧୀନତା  ସଂଗ୍ରାମୀ ରହୁଥିବା ବାଲେଶ୍ବର ଜେଲର ଏହି ୩ ନମ୍ବର ସେଲ୍‌ରେ ସୁଶୀଲ ଧଳ ସାମନ୍ତ ଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯିବାକୁ ନେଇ ଉଠିଛି ବିବାଦ । ଏହି ସେଲ୍‌କୁ ବାଘା ଯତୀନଙ୍କ ସ୍ମାରକୀ ଭାବେ ବ୍ୟବହାର କରିବା ବଦଳରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏଠାରେ ରଖାଯାଉଥିବାରୁ ଏହା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ ବୋଲି ଅନେକ ବିବେଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.