ନବ ଦାସ ହତ୍ୟା ଘଟଣା, କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍
2/02/2023 at 7:52 AM

ଝାରସୁଗୁଡ଼ା ୦୨।୦୨ : ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଅଧିକାରୀଙ୍କ ହାତରେ ଲାଗିଛି କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ । ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣକୁ ଉଡ଼ାଇ ଦେବା ଲାଗି ଗୋପାଳ ଦାସ ଉଦ୍ୟମ କରିଥିଲେ। ହେଲେ ସେଥିରେ ସଫଳ ହୋଇପାରିନାହାନ୍ତି। ଆଉ କିଛି ଦସ୍ତାବିଜ ଉଦ୍ଧାର ପାଇଁ ଝାରସୁଗୁଡା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍ ହୋଇଥିବା ଜଣାପଡିଛି। ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚି ରହିଥିବା କୁହାଯାଉଛି । ବୁଧବାର ଦିନ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରିବା ପରେ ଗୋପାଳ ନିଜେ ଏ ସଂପର୍କରେ ସୂଚନା ଦେଇଥିଲେ।
ଖବର ଅନୁଯାୟୀ, ରବିବାର ଦିନ ଦି’ପହରେ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏଏସ୍ ଆଇ ଗୋପାଳ ଦାସ। ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଓ ପୋଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ପର୍ଯ୍ୟନ୍ତ ସେ ଦୀର୍ଘ ସମୟ ଧରି ଏଠାରେ ଥିଲେ। ସେହି ସମୟରେ ସୁଯୋଗ ନେଇ ସମସ୍ତ ପ୍ରମାଣ ପତ୍ର ନୂଆ ଷଡ଼୍ ଯନ୍ତ୍ର ରଚନା କରିଥିଲେ। ବିମାନ ବନ୍ଦର ଥାନାରେ ସେ ପରିସ୍ରା ଯିବା ବାହାନା କରି ଵାଥ୍ ରୁମ୍ ଯାଇଥିଲେ। ସେ ଲୁଚାଇ ରଖିଥିବା ସବୁ କାଗଜପତ୍ରକୁ ପାଇଖାନାରେ ପୂରାଇ ଫ୍ଲସ୍ ଚିପି ଦେଇଥିଲେ । ଜେରା ସମୟରେ ରାତିରେ ଗୋପାଳ ସତ ପେଡ଼ି ଖୋଲିଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ଏସବୁ କାଗଜ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଝାରସୁଗୁଡା ବିମାନବନ୍ଦର ଥାନାକୁ ଚାରିପଟୁ ବନ୍ଦ କରି ରାତିଅଧିଆ ଅପରେସନ୍ ଚାଲିଥିଲା । ପୂରା ପାଇଖାନା ଟାଙ୍କିକୁ ସୁଇପର ଲଗାଇ ଭଙ୍ଗାଯାଇଥିବା ବେଳେ କିଛି କାଗଜପତ୍ର ସଂଗ୍ରହ କରାଯାଇଥିବା ସୂଚନା ମିଳିଛି ।