ରହସ୍ୟରେ ଗୋବିନ୍ଦ ସାହୁ ଆତ୍ମହତ୍ୟା, ଗୁମର ଖୋଲିପାରେ ମାଟିଆ ଲଫାପା
22/12/2022 at 5:19 PM

କଣ୍ଟାବାଞ୍ଜି ୨୨/୧୨: ସରିଛି ଗୋବିନ୍ଦ ସାହୁଙ୍କ ଶେଷକୃତ୍ୟ। ହେଲେ ସ୍ପଷ୍ଟ ହୋଇନାହିଁ ଆତ୍ମହତ୍ୟାର ରହସ୍ୟ। ଗୋବିନ୍ଦଙ୍କ ମୃତଦହ ବ୍ୟବଚ୍ଛେଦ ପରେ ରିପୋର୍ଟ କଣ ରହିଛି ? ସେଥିରେ ଆତ୍ମହତ୍ୟାର କାରଣ କିଛି ଜଣାପଡ଼ୁଛି କି ? କଣ୍ଟାବାଞ୍ଜି ଉପକାରାଗାର ଭିତରେ ୪ ଘଣ୍ଟା ଧରି ଗତକାଲି ଛାନଭିନ କରିଛି କ୍ରାଇମ ବ୍ରାଞ୍ଚ। ତେବେ କଏଦୀଙ୍କ ଠାରୁ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ତଦନ୍ତ ଚାଲିଥିବା ବେଳେ କିଛି ନୂଆ ରହସ୍ୟ ସାମ୍ନାକୁ ଆସିବା ନେଇ ସନ୍ଦେହ କରାଯାଉଛି। ଗୋବିନ୍ଦଙ୍କ ମୃତଦେହ ଯାଞ୍ଚ ବେଳେ ମିଳିଥିବା ମାଟିଆ ଲଫାପା କିଛି ନୂଆଗୁମର ଖୋଲିବ ନେଇ ଦେଖା ଦେଇଛି ସନ୍ଦେହ।

କାରଣ ସେଥିରେ ସେ ଆତ୍ମହତ୍ୟାକୁ ନେଇ କିଛି ଲେଖିଥିଲେ ନା କୌଣସି ନୂଆ ତଥ୍ୟ ଦେଇଛନ୍ତି ତାହା କ୍ରାଇମବ୍ରାଞ୍ଚ ତଦନ୍ତ ପରେ ସ୍ପଷ୍ଟହେବ। ତେବେ ଆଜି ମଧ୍ୟ ଜେଲରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହ ଗୋବିନ୍ଦ ସାହୁଙ୍କ ପରିବାର ଲୋକଙ୍କ ବୟାନ ମଧ୍ୟ ନେଇପାରେ। ସେପଟେ ଜେଲ ୱାର୍ଡରଙ୍କ ପରେ କାହା ପାଳି ପଡ଼ୁଛି, କାହାର ଭୁଲ ସାମ୍ନାକୁ ଆସୁଛି ଓ କଣ କାର୍ଯ୍ୟାନୁଷ୍ଠାନ ନେଉଛି ଜେଲ ବିଭାଗ ତା ଉପରେ ସମସ୍ତଙ୍କ ନଜର ରହିଛି।