କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେଲେ ଗୁରାଣ୍ଡି ଥାନା ଅଧିକାରୀ, ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଛନ୍ଦି ହୋଇଛନ୍ତି ମମତା

Published By : Prameya-News7 Bureau | August 20, 2021 IST

ଗଜପତି ୨୦।୮: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତର ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ଥାନା ପରିସରରେ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୀର୍ଘ ୪ ଘଣ୍ଟା ଧରି ଜେରାର ସମ୍ମୁଖୀନ ହୋଇଛନ୍ତି ମମତା ପଣ୍ଡା । ସୌମ୍ୟଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ଅଟକାଇ ମାମଲାରେ ଛନ୍ଦି ହୋଇଥିଲେ ମମତା ପଣ୍ଡା ।

ସୌମ୍ୟ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମାମଲାରେ ଛନ୍ଦି ହୋଇଥିବା ମମତା ପଣ୍ଡା ଆଜି କ୍ରାଇମବ୍ରାଞ୍ଚର ସମ୍ମୁଖୀନ ହୋଇଛନ୍ତି । ଦୀର୍ଘ ୪ ଘଣ୍ଟା କାଳ କ୍ରାଇମବ୍ରାଞ୍ଚ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ । ପୂର୍ବରୁ ପାରଳାଖେମୁଣ୍ଡି ପୋଲିସ ତାଙ୍କୁ ଜେରା କରିଥିବା ବେଳେ ପୁଣି ଥରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଜେରା କରିଛି । ସୌମ୍ୟଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ବିଦ୍ୟାଭାରତୀଙ୍କ ଡାକରାରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମମତା । ପରବର୍ତ୍ତୀ ସମୟରେ ମେଡିକାଲରେ ମଧ୍ୟ ଉପସ୍ଥିତ ଥିଲେ । ଏମିତିକି ଘଟଣା ଦିନ ରାତିରେ ପୋଲିସ ସୌମ୍ୟଙ୍କ ବାସଭବନରୁ ନମୁନା ସଂଗ୍ରହ ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ । ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ତେଣୁ ସେ ମାମଲାର ପ୍ରମାଣ ନଷ୍ଟ କରିବା ପାଇଁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ତେବେ ବିଭାଗୀୟ ନିର୍ଦ୍ଦେଶ ନଥାଇ ଗୁରାଣ୍ଡି ଥାନା ଅଞ୍ଚଳରୁ ପାରଳାଖେମୁଣ୍ଡି ଥାନା ଅଞ୍ଚଳକୁ କାହିଁକି ଆସିଥିଲେ ଏସବୁର ଉତ୍ତର ଖୋଜିଛି କ୍ରାଇମବ୍ରାଞ୍ଚ  । ତେବେ ଜେରା ପରେ କ୍ରାଇମବ୍ରାଞ୍ଚ ଡିଏସପି ଗଣମାଧ୍ୟମରେ ଉତ୍ତର ରଖି କହିଛନ୍ତି ଏସିଡିପିଓଙ୍କ ନିର୍ଦ୍ଦେଶ କ୍ରମେ ସେ ପାରଳାଖେମୁଣ୍ଡି ଆସିଥିଲେ ବିଦ୍ୟାଭାରତୀଙ୍କ ଦୂର ସମ୍ପର୍କୀୟ ହୋଇଥିବାରୁ ଘଟଣା ଦିନ ଉପସ୍ଥିତ ରହି ସହାୟତା କରିଥିଲେ ବୋଲି କହିଛନ୍ତି । ସେପଟେ ଶୁକ୍ରବାର ପାରଳାଖେମୁଣ୍ଡି ଥାନା ମାମଲାର ତଦନ୍ତ ଅଧିକାରୀଙ୍କୁ ମାମଲାର ତଦନ୍ତ ଦିଗ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିବା କହିଛନ୍ତି ।

କ୍ରାଇମବ୍ରାଞ୍ଚ ଆସିବାର ପ୍ରଥମ ଦିନଠାରୁ ସପ୍ତମ ଦିନ ମଧ୍ୟରେ ମାମଲାରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶୁକ୍ରବାର କ୍ରାଇମବ୍ରାଞ୍ଚ ମାମଲାରେ ଛନ୍ଦି ହୋଇଥିବା ମମତା ପଣ୍ଡାଙ୍କୁ ଜେରା କରିଥିଲା । କିନ୍ତୁ ଜେରା ପରେ ଗଣମାଧ୍ୟମକୁ ଏଡାଇ କୌଣସି ଉତ୍ତର ରଖିନଥିଲେ ମମତା ପଣ୍ଡା । ତେବେ ଆଗକୁ ଆଉ କିଏ କିଏ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.