ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଡିଏଫଓଙ୍କୁ ୩ ଘଣ୍ଟା ମରାଥନ୍ ଜେରା କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | August 21, 2021 IST

ଗଜପତି ୨୧।୮: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ଡିଏଫଓଙ୍କୁ ୩ ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଜେରା ପରେ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଗଜପତି ଡିଏଫଓ । ଡିଏଫଓ କହିଥିଲେ, ମୁଁ ଯାହା କହିବା କଥା କତଦନ୍ତକାରୀ ଟିମ୍ ଙ୍କୁ କହିସାରିଛି । ଦୟାକରି ମୋତେ ଛାଡନ୍ତୁ, ମୋର ଅନ୍ୟ ସରକାରୀ କାମ ଅଛି ବୋଲି ଡିଏଫଓ କହିଛନ୍ତି ।

wp:html /wp:html

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଦିନକୁ ଦି ଜଟିଳ ହେଉଛି । ସମୟ ଯେତିକି ଗଡୁଛି ରହସ୍ୟ ସେମିତି ବଢୁଛି ।  କ୍ରାଇମବ୍ରାଞ୍ଚ ତଦନ୍ତରେ ଆସିଥିବା ନୂଆ ଦିଗକୁ ଦେଖିଲେ ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ହେଲେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ରହିଥିବା ସନ୍ଦେହ ଘନୀଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ଭାବରେ ମୃତ୍ୟୁକାଳୀନ ଜମାନବନ୍ଦୀ ଦେବାକୁ ସକ୍ଷମ ହେଲେ । ତାହାକୁ ନେଇ ଆପତ୍ତି ରହିଥିବା ବେଳେ ଡ଼ାକ୍ତର କହିଥିଲେ ମୃତ୍ୟୁକାଳୀନ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ । କିନ୍ତୁ ଭାଇରାଲ୍ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ସମୟରେ ଡିଏଫଓ ଉପସ୍ଥିତ ଅଛନ୍ତି ।

ସେପଟେ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁନାହାନ୍ତି । ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ତେବେ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ କହିବା ହେଲା ଭିଡିଓର ଯାଞ୍ଚ କରାଯିବ ଯଦି ସତ୍ୟତା ଥାଏ ତାହାହେଲେ ତଦନ୍ତ ପରିସରଭୁକ୍ତ କରାଯିବ ।

ତେବେ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ସମୟରେ ସେଠି ଡିଏଫଓ କ’ଣ କରୁଥିଲେ ? କ’ଣ ସେଠାରୁ ହିଁ ଷଡଯନ୍ତ୍ର ସଫଳ ପାଇଁ ପ୍ରମାଣ ଯୋଗାଡ ହେଲା ନା ଆଉ କିଛି ରହସ୍ୟ ରହିଛି ? କ’ଣ ପୁଣିଥରେ ଡାକ୍ତରଙ୍କୁ ଏବଂ ତହସିଲଦାରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ? କିଛି ଖିଆ ପାଇବ ନା କେବଳ ତଦନ୍ତ ଆଳରେ ଦିନ ଗଡ଼ାଇ ସୌମ୍ୟଙ୍କ ପରିବାର ଏବଂ ସାଧାରଣ ଲୋକଙ୍କୁ ଭୁଆଁବୁଲାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.