ଯୁବରାଜ ସିଂହଙ୍କ ପିତାଙ୍କ ବିବାଦୀୟ ବୟାନ୍-‘ଏଇ ହିନ୍ଦୁମାନେ ଗଦ୍ଦାର’: ଭିଡିଓ ଭାଇରାଲ୍ ପରେ ଜୋର୍ ଧରିଲା ଗିରଫ୍ ଦାବି
5/12/2020 at 12:31 PM

ନୂଆଦିଲ୍ଲୀ ୦୫/୧୨ : କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହ। ସେ ହିନ୍ଦୁଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯୋଗରାଜ ସିଂହ କୃଷକ ଆନ୍ଦୋଳନ ସମୟରେ ହିନ୍ଦୁଙ୍କୁ ନେଇ ଦେଇଥିବା ଟିପ୍ପଣୀ ପରେ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି। ତାଙ୍କର ଭାଷଣ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବା ପରେ ଲୋକେ ଉତକ୍ଷିପ୍ତ ହୋଇଯାଇଛନ୍ତି। କିନ୍ତୁ ଏହି ଭିଡିଓର ସତ୍ୟତା ସ୍ପଷ୍ଟ ହୋଇନାହିଁ।
ଯୋଗରାଜ ସିଂହଙ୍କ ଭାଇରାଲ ଭିଡିଓରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ନଜର ଆସିଛନ୍ତି। ଭାଷଣ ମଧ୍ୟରେ ସେ ହିନ୍ଦୁଙ୍କୁ ଗଦ୍ଦାର କହିଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘ଏଇ ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ଯାଏଁ ମୁଗଲମାନଙ୍କ ଗୋଲାମୀ କଲେ।’ କେବଳ ସେତିକି ନୁହେଁ, ସେ ମହିଳାଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି।
ଯୋଗରାଜଙ୍କ ଏହି ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ନିନ୍ଦା କରିଛନ୍ତି। ଲୋକେ ତାଙ୍କ ଭାଷଣକୁ ବିବାଦୀୟ, ଘୃଣ୍ୟ ଏବଂ ଆପତ୍ତିଜନକ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଯୋଗରାଜ ସିଂହ ପୂର୍ବରୁ ମଧ୍ୟ ନିଜର ଅନେକ ବୟାନକୁ ନେଇ ବିବାଦରେ ଘେରି ହୋଇଛନ୍ତି। କିଛି ଦିନ ପୂର୍ବରୁ ଯୋଗରାଜ ପୂର୍ବତନ ଭାରତୀୟ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ମଧ୍ୟ ଏକ ବିବାଦୀୟ ବୟାନ ଦେଇଥିଲେ। ତାଙ୍କ ପୁଅ ଯୁବରାଜ ସିଂହଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ସେ ଧୋନିଙ୍କ ଉପରେ କ୍ରୋଧିତ ହୋଇଥିଲେ।