ପାକିସ୍ତାନୀ କ୍ରିକେଟର ୟାସିର ଶାହାଙ୍କ କାରନାମା: ୧୪ ବର୍ଷୀୟା ନାବାଳିକାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ, ଭିଡିଓ ଶୁଟ୍‌ କରି ବ୍ଲାକମେଲ ଅଭିଯୋଗ

Published By : Prameya-News7 Bureau | December 20, 2021 IST

ନୂଆଦିଲ୍ଲୀ ୨୦/୧୨ : ପାକିସ୍ତାନୀ ଲେଗ୍ ସ୍ପିନର ୟାସିର ଶାହାଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ୟାସିର ଏବଂ ତାଙ୍କର ବନ୍ଧୁ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ରୁଜୁ କରିଛନ୍ତି ପୀଡିତା । ପାକିସ୍ତାନୀ କ୍ରିକେଟର ୟାସିର ଏବଂ ତାଙ୍କ ସାଙ୍ଗଙ୍କ ବିରୁଦ୍ଧରେ ଇସଲାମାବାଦର ଶାଲିମାର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

ପୋଲିସ ବର୍ତ୍ତମାନ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହିତ ବୟାନ ରେକର୍ଡ କରିଛି । କିନ୍ତୁ ବର୍ତ୍ତମାନ ଯାଏଁ ଅଭିଯୁକ୍ତ କ୍ରିକେଟର ୟାସିର ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ପୀଡିତା ନାବାଳିକା ପୋଲିସ ନିକଟରେ କହିଛନ୍ତି ଯେ, ୟାସିର ଶାହା ଏବଂ ତାର ସାଙ୍ଗ ଦୁଷ୍କର୍ମ କରିବା ପରେ କାହାରିକୁ ନକହିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିଳେ । ଏମିତିକି ବଡ ଫ୍ଳାଟ୍‌ କିଣି ଦେବା ସହ ଆଗାମୀ ୧୮ ବର୍ଷ ଯାଏଁ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ ପ୍ରଲୋଭିତ କରିଥିଲେ ବୋଲି ପୋଲିସ ନିକଟରେ କହିଛନ୍ତି ପୀଡିତା ନାବାଳିକା ।

ପୀଡିତା ନାବାଳିକା ଏଫ୍‌ଆଇଆର୍‌ରେ ଲେଖିଛନ୍ତି ଯେ, ‘ୟାସିର ଶାହା ଏବଂ ତାର ବନ୍ଧୁ ଫରହାନ ବନ୍ଧୁକ ଦେଖାଇ ଧମକ ଦେବା ସହିତ ଦୁଷ୍କର୍ମ କରିଥିଲେ । ଏହା ସହିତ ଦୁଷ୍କର୍ମ ବେଳର ଭିଡିଓ କରି ବିଭିନ୍ନ ସମୟରେ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଉଥିଲେ ।’ ପୀଡିତା କହିଛନ୍ତି ଯେ, ‘ସେ ୟାସିର ଶାହାଙ୍କୁ ସମ୍ପର୍କ କରି ଭିଡିଓ ଡିଲିଟ୍‌ କରିବାକୁ କହିଛନ୍ତି କିନ୍ତୁ ସେ କିଛି ନଶୁଣି ହସରେ ଉଡାଇଦେଇଛନ୍ତି । ଆଉ କହିଛନ୍ତି, ତାଙ୍କୁ କମ ବୟସର ଝିଅମାନେ ଖୁବ ପସନ୍ଦ’ ।

ପୀଡିତା ନାବାଳିକା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ‘ଟେଷ୍ଟ କ୍ରିକେଟର ୟାସିର ମଧ୍ୟ ତାଙ୍କୁ ଏହି ବିଷୟରେ କାହାକୁ ନଜଣାଇବାକୁ ଧମକ ଦେଇଛନ୍ତି । କହିଛନ୍ତି ଯେ ଯଦି ସେ ଏହି ଘଟଣା ବାବଦରେ କାହାରିକୁ କିଛି କୁହନ୍ତି ତେବେ ପରିଣତି ଭୟଙ୍କର ହେବ’ । ସେ ଅଭିଯୋଗ କରିଛନ୍ତି, ୟାସିର ହେଉଛନ୍ତି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଉଚ୍ଚପଦସ୍ତ ପୋଲିସ ଅଧିକାରୀଙ୍କୁ ଜାଣିଛନ୍ତି । କେବଳ ମୋ ସହିତ ନୁହେଁ ଆହୁରି ଅନେକ ଝିଅଙ୍କୁ ଦୁଷ୍କର୍ମ କରି ଭିଡିଓ ସୁଟ୍ କରି ବ୍ଲାକମେଲ କରନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.