ଡିଏସପି ହେଲେ କ୍ରିକେଟ୍‌ର ମହମ୍ମଦ ସିରାଜ, କ୍ରିକେଟ୍ ସହ ତେଲେଙ୍ଗାନାରେ ସମ୍ଭାଳିବେ ବଡ଼ ଦାୟିତ୍ଵ

Published By : Prameya-News7 Bureau | October 11, 2024 IST

livehindustan

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ତେଲେଙ୍ଗାନା ପୋଲିସର ଡିଏସପି ଦାୟିତ୍ଵ ଗ୍ରହଣ କରିଛନ୍ତି। ଶୁକ୍ରବାର ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରିବା ପରେ ସେ ଏହି ପଦଭାର ଗ୍ରହଣ କରିଛନ୍ତି। ଏହି ସମୟରେ ସାଂସଦ ଏମ ଅନିଲ କୁମାର ଯାଦବ, ଟିଜିଏମଆରଇଆଇଏସର ଅଧ୍ୟକ୍ଷ ମହମ୍ମଦ ଫହିମୁଦ୍ଦୀନ କୁରେସୀ ଉପସ୍ଥିତ ଥିଲେ। 

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମହମ୍ମଦ ସିରାଜଙ୍କୁ ପ୍ରତିଷ୍ଠିତ ଗ୍ରୁପ-୧ ସରକାରୀ ପଦରେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ସମ୍ମାନ ପାଇଁ ସିରାଜ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ତେଲେଙ୍ଗାନା ପୋଲିସ ନିଜର ଏକ୍ସରେ  ଲେଖିଛି, ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ତାଙ୍କ କ୍ରିକେଟ୍ ଉପଲବ୍ଧି ଓ ରାଜ୍ୟ ପ୍ରତି ସମର୍ପଣଭାବକୁ ସମ୍ମାନ ଜଣାଇ ତେଲେଙ୍ଗାନା ପୋଲିସର ଡିଏସପି ପଦରେ ନିଯୁକ୍ତ କରାଯାଇଛି। ସେ ନିଜର ନୂତନ ଭୂମିକାରେ ଅନେକଙ୍କୁ ପ୍ରେରିତ କରି ନିଜର କ୍ରିକେଟ୍ ଜାରି ରଖିବେ। 

ସୂଚନାଯୋଗ୍ୟ, ମହମ୍ମଦ ସିରାଜ ଭାରତର ତିନି ଫର୍ମାଟ୍‌ର ଖେଳାଳି। ସେ ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଅଦ୍ୟାବଧି ୨୯ ଟେଷ୍ଟ, ୪୪ ଦିନିକିଆ ଓ ୧୬ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି ସିରାଜ। ସେ ଭାରତୀୟ ଟି-୨୦ ବିଶ୍ଵକପ୍ ବିଜୟୀ ଦଳର ସଦସ୍ୟ ରହିବା ସହ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଓ ଦିନିକିଆ ବିଶ୍ଵକପ୍‌ ଖେଳିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.