ଶ୍ରୀଲଙ୍କା-ଭାରତ ପ୍ରଥମ ଦିନିକିଆ; ଟି-୨୦ ପରେ ଓ୍ବାନଡେ' ବିଜୟ ଲକ୍ଷ୍ୟରେ ରୋହିତ୍ ସେନା

Published By : Prameya-News7 Bureau | August 02, 2024 IST

କଲମ୍ବୋ,୦୨/୦୮: ଶୁକ୍ରବାର ଅର୍ଥାତ୍ ଆଜିଠୁ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ । କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମ ଖେଳାଯିବ ଏହି ମ୍ୟାଚ୍ । ଟି-୨୦ ବିଶ୍ବକପ୍ ବ୍ରେକ୍ ପରେ ଗ୍ରାଉଣ୍ଡକୁ ଓହ୍ଲାଇବେ ଭାରତର ଷ୍ଟାର୍‌ ବ୍ୟାଟର ରୋହିତ୍ ଶର୍ମା ଓ ବିରାଟ କୋହଲି । ଆଜିଠୁ ଟିମ୍ ଇଣ୍ଡିଆ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଭାରତର ପ୍ରଦର୍ଶନ ଅପେକ୍ଷା ନୂଆ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ଫୋକସ୍ ରହିବ । ତାଙ୍କ ରଣନୀତି ଓ  କାର୍ଯ୍ୟଶୈଳୀ ସିନିୟର ଖେଳାଳିଙ୍କ ପାଇଁ କେତେଦୂର ସହାୟକ ହେବ, ଦେଖିବାକୁ  ମିଳିବ । 

ଶ୍ରୀଲଙ୍କା ଦଳ ଟି-ଟ୍ୱେଣ୍ଟି ସିରିଜ ପରାଜୟ ଦୁଃଖରୁ ବାହାରିବା କଷ୍ଟକର । କିନ୍ତୁ ସମର୍ଥକଙ୍କ ଭରସା ଦଳ ଉପରେ ରହିଛି । ଶୁକ୍ରବାର ଘରୋଇ ଦଳକୁ ସମର୍ଥନ କରିବା ପାଇଁ ପ୍ରେମଦାସା ଷ୍ଟାଡ଼ିୟମ୍‌ରେ ଦର୍ଶକ ଗହଳି ଲାଗି ରହିବ । ତେଣୁ ଟି-ଟ୍ୱେଣ୍ଟି ସିରିଜ ଫଳାଫଳକୁ ଭୁଲି ଶ୍ରୀଲଙ୍କା କ୍ରିକେଟ୍‌ ପ୍ରେମୀଙ୍କ ମନ ଜିତିବା ପାଇଁ ଜୋରଦାର ପ୍ରୟାସ କରିବ । 

ପୂର୍ବ ପ୍ରଦର୍ଶନକୁ ଦେଖିଲେ ଶୁକ୍ରବାର ଭାରତର ପଲା ଭାରି ରହିବ । ପ୍ରଥମତଃ ଦଳ ବେଶ୍‌ ସନ୍ତୁଳିତ । ଶ୍ରୀଲଙ୍କା ତୁଳନାରେ ଭାରତୀୟ ଟିମ୍ ଅଭିଜ୍ଞ ।  ଏକାଦଶ ମଧ୍ୟ ଏକ ପ୍ରକାର ପ୍ରସ୍ତୁତ । କେବଳ ପିଚ୍‌ ଦେଖି ନିଷ୍ପତ୍ତି ନିଆଯିବ । ବିଶେଷ କରି ବ୍ୟାଟିଂ ଅଲ୍‌ରାଉଣ୍ଡର ଓ ୱିକେଟ୍‌ କିପର ସ୍ଥାନକୁ ନେଇ ପରୀକ୍ଷା ନିରୀକ୍ଷା ହୋଇପାରେ । କେଏଲ ରାହୁଲ ଓ ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ। ସେହିପରି ଶିବମ ଦୁବେ ଓ ରିୟାନ ପରାଗଙ୍କ ମଧ୍ୟରୁ ଜଣଙ୍କୁ ବ୍ୟାଟିଂ ଅଲ୍‌ରାଉଣ୍ଡର ଭବେ ସ୍ଥାନ ମିଳିବ । 

ଶ୍ରୀଲଙ୍କା ଦଳ ମୁଖ୍ୟତଃ ପେସ୍‌  ବୋଲିଂକୁ ନେଇ ଚିନ୍ତାରେ ରହିଛି ।  ଆହତ ଓ ଅସୁସ୍ଥତା ଯୋଗୁଁ ୫ଜଣ ପେସ୍‌ ବୋଲର ସମ୍ପ୍ରତି ଦଳରୁ ବାଦ ପଡ଼ିଛନ୍ତି । କେବଳ ଆସିଥା ଫର୍ଣ୍ଣାଣ୍ଡୋ ଓ ଚାମିକା କରୁଣାରତ୍ନେ ଫିଟ୍‌ ଅଛନ୍ତି । ତଥାପି ସ୍ପିନରଙ୍କୁ ସହାୟତା କରୁଥିବା ପିଚ୍‌ରେ ଶ୍ରୀଲଙ୍କା ପାଇଁ ବୋଲିଂ ବିଭାଗ ପ୍ରସ୍ତୁତ କରିବା କଷ୍ଟକର ହେବ ନାହିଁ । ମଧ୍ୟ ଓ ନିମ୍ନ କ୍ରମ ବ୍ୟାଟିଂ ବିଭାଗ ବଡ଼  ସମସ୍ୟା ହୋଇ ଛିଡ଼ା ହୋଇଛି । ଟି-ଟ୍ୱେଣ୍ଟି ସିରିଜରେ ୩ଟି ଯାକ ମ୍ୟାଚ୍‌ରେ ମଧ୍ୟକ୍ରମର ବିଫଳତା ଯୋଗୁଁ ଶ୍ରୀଲଙ୍କା ବିଜୟ ହାତଛଡ଼ା କରିଥିଲା । ତେଣୁ ଶୁକ୍ରବାର ମଧ୍ୟକ୍ରମ ବ୍ୟାଟିଂ ବିଭାଗକୁ ସୁଦୃଢ କରିବା ମୁଖ୍ୟ କାର୍ଯ୍ୟ ହେବ । 

ପ୍ରେମଦାସା ଗ୍ରାଉଣ୍ଡର ପିଚ୍‌  ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ଅପରାହ୍ଣରେ ମ୍ୟାଚ୍‌ ଆରମ୍ଭ ହେବ । ଟସ୍‌  ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା  କରାଯାଇପାରେ। କାରଣ ଅପରାହ୍ଣରେ  ବର୍ଷା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.