ଭାରତ-ନ୍ୟୁଜିଲାଣ୍ଡ ସିରିଜ୍; କିଓ୍ବି ଦଳ ଉପରେ ଭାରି ପଡ଼ିବେ ୩ ଖେଳାଳି, ଟପ୍ ଫର୍ମରେ ବିରାଟ୍, ସିରାଜ୍ ଓ ଗିଲ୍

Published By : Prameya-News7 Bureau | January 17, 2023 IST

ହାଇଦ୍ରାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେନଡେ’ ସିରିଜ୍ । ଜାନୁଆରୀ ୧୮ ତାରିଖରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏନେଇ ଭାରତୀୟ ଦଳ ହାଇଦ୍ରାବାଦରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ଶ୍ରୀଲଙ୍କା ସିରିଜକୁ କ୍ଲିନ୍ ସୁଇପ୍ କରି ଟିମ୍ ଇଣ୍ଡିଆ ଆତ୍ମବିଶ୍ବାସ ବଢ଼ିଛି । ତେବେ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ କିଓ୍ବି ଦଳ ଉପରେ ଭାରି ପଡ଼ିବ ଘରୋଇ ଦଳ । ଘାତକ ସାବ୍ୟସ୍ତ ହେବେ ଟମ୍ ଇଣ୍ଡିଆର ୩ ଖେଳାଳି । ରନ୍ ମେସିନ୍ ଫର୍ମ ଟପ୍‌ରେ ରହିଥିବା ବେଳେ ହୋମ୍ ଟାଉନ୍‌ରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଚକ୍‌ମା ଦେବେ ଦ୍ରୁତ ବୋଲର ମହମ୍ମଦ ସିରାଜ୍ । ସେହିପରି ଓପନର ସୁବମନ୍ ଗିଲ୍ ମଧ୍ୟ ଫର୍ମକୁ ଫେରିଛନ୍ତି ।  

ବିଶେଷ କରି ବିରାଟ କୋହଲିଙ୍କୁ ରୋକିବା କିଓ୍ବି ଦଳ ପାଇଁ ମୁସ୍କିଲ୍ ହେବ । ଶ୍ରୀଲଙ୍କା ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ଦୁଇଟି ଶତକ ମାରି କୋହଲି ଏବେ ବିରାଟ ଫର୍ମରେ ରହିଛନ୍ତି । ଶ୍ରୀଲଙ୍କା ବିରୋଧରେ  ନିଜର ୪୬ତମ ସେଞ୍ଚୁରୀ ପୂରଣ କରିଛନ୍ତି ବିରାଟ । ୩ଟି ପାଳରେ ୧୪୧.୫୦ ପ୍ରତିଶତରେ ମୋଟ୍ ୨୮୩ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ୧୬୬ ରନର ଏକ ନଟଆଉଟ୍ ପାଳି ରହିଛି । ଗତ ୪ମାସରେ ୪ଶତକ ମାରିଛନ୍ତି ଟିମ୍ ଇଣ୍ଡିଆର ଏହି ରନ୍ ମେସିନ୍ ।  ଏଭଳି ସ୍ଥିତିରେ କୋହଲିଙ୍କୁ ରୋକିବା ନ୍ୟୁଜିଲାଣ୍ଡ ଦଳ ପାଇଁ କଠିନ ହେବ ।

ସେହିପରି ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଶ୍ରୀଲଙ୍କ ବିପକ୍ଷରେ ଲୟକୁ ଫେରିଛନ୍ତି । ପାଓ୍ବାର ପ୍ଲ’ ଓଭରରେ ନିଜର ବେଷ୍ଟ ପ୍ରଦର୍ଶନ ଦେଖାଇଛନ୍ତି । ସିରାଜ୍ ୩ଟି ପାଳିରେ ୯ ଓ୍ବିକେଟ୍ ହାସଲ କରିଛନ୍ତି । ଶେଷ ଦିନିକିଆରେ ୪ଟି ଓ୍ବିକେଟ୍ ଅକ୍ତିଆର କରିବା ସହିତ ୪.୦୫ ହାରରେ ରନ୍ ଖର୍ଚ୍ଚ କରିଛନ୍ତି । ୨୦୨୨ରେ  ମହମ୍ମଦ ସିରାଜ୍ ୧୦ଟି ଦିନିକିଆ ମ୍ୟାଚର ପ୍ରଥମ ୧୦ ଓଭରରେ ସର୍ବାଧିକ ଓ୍ବିକେଟ୍ ନେଇଛନ୍ତି । ଅନ୍ୟପଟେ ପ୍ରଥମ ଓ୍ବାନଡେ’ ହାଇଦ୍ରାବାଦରେ ଖେଳାଯାଉଥିବାରୁ ହୋମ୍ ଟାଉନରେ କିଓ୍ବି ବ୍ୟାଟରଙ୍କ ପାଇଁ ପାଓ୍ବାର ପ୍ଲେରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ସିରାଜ୍ ।

ସେହିପରି ଦିନିକିଆ ସିରିଜରେ ନିଜର ତାକତ ଦେଖାଉଛନ୍ତି ସୁବମନ୍ ଗିଲ୍ । ଏହି ଯୁବ ଓପନର ଶ୍ରୀଲଙ୍କା ବିରୋଧରେ ଶତକୀୟ ପାଳି ଖେଳି ସମସ୍ତ ପ୍ରଭାବିତ କରିଛନ୍ତି । ୩ଟି ପାଳିରେ ସେ ୬୯ ପ୍ରତିଶତରେ ୨୦୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ  ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି ।  ଧବନଙ୍କ ପରେ ସୁବମନ ଅଧିନାୟକ ଓ କୋଚଙ୍କୁ ଜଣେ ଦକ୍ଷ ଓପନର ଭାବେ ଭରସା ଦେଇଛନ୍ତି । ନ୍ୟୁଜିଲାଣ୍ଡ ସିରିଜ୍ ପୁଣି ଥରେ କରିସ୍ମା ଦେଖାଇବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.