କଙ୍ଗାରୁ ବିରୋଧରେ ମ୍ୟାନ୍ ଇନ୍ ବ୍ଲୁ’ର ରେକର୍ଡ, ଲଗାତାର ୪ଟି ସିରିଜ୍ ଜିତିଲା ଭାରତ
13/03/2023 at 8:20 PM

ମୁମ୍ବାଇ: ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆର ବିଶ୍ବ ରେକର୍ଡ । ଲଗାତାର ଚତୁର୍ଥ ସିରିଜ୍ ଜିତିଲା ଭାରତୀୟ ଦଳ । ଗତ ୩୦ ବର୍ଷରେ କଙ୍ଗାରୁଙ୍କ ବିରୋଧରେ ଲଗାତାର ୪ଟି ସିରିଜରେ ବିଜୟଲାଭ କରି ଖାସ୍ ରେକର୍ଡ କରିଛି ମ୍ୟାନ-ଇନ-ବ୍ଲୁ । ଏହାସହିତ ଆଇସିସି ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପର ଫାଇନାଲକୁ ଦ୍ବିତୀୟ ଥର ପାଇଁ ଏଣ୍ଟ୍ରି କରିଛି ।
ଅଷ୍ଟ୍ରେଲିଆ ବିରୋଧରେ ଲଗାତାର ୪ଟି ଟେଷ୍ଟ ସିରିଜ୍ ଜିତିବାରେ ପ୍ରଥମ ଦଳ ଭାବେ ଭାରତୀୟ ଟିମ୍ ବିଶ୍ବ ରେକର୍ଡ କରିଛି । ଗତ ୩୦ ବର୍ଷ ମଧ୍ୟରେ କୌଣସି ଦଳ ଏଭଳି ରେକର୍ଡର ଅଧିକାରୀ ହୋଇନାହାନ୍ତି । ୨୦୧୬ରେ ଭାରତରେ ହୋଇଥିବା ଟେଷ୍ଟ ସିରିଜକୁ ଟିମ୍ ଇଣ୍ଡିଆ ୨-୧ରେ ଜିତି ନେଇଥିଲା । ସେହିପରି ୨୦୧୮ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଶୃଙ୍ଖଳାକୁ ଭାରତ ୨-୧ରେ ବିଜୟ ହୋଇଥିଲା । ଏହା ପରେ ୨୦୨୦ରେ ସମାନ ଢଙ୍ଗରେ ମ୍ୟାଚ୍ ଜିତି ସିରିଜ୍ କବଜା କରିଥିଲା । ଏବେ ବର୍ଡର ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ଏହି ରେକର୍ଡ ନିଜର ନାଁରେ କରିଛି ରୋହିତ୍-ଆଣ୍ତ-କୋ ।
ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଦବଦବା ଜାରି ରହିଛି । ଲଗାତାର ୧୬ଟି ଟେଷ୍ଟ ସିରିଜ୍ ଜିତିଛି ଭାରତୀୟ ଦଳ । ୨୦୧୮ ପରେ ଦ୍ବିତୀୟ ଥର ପାଇଁ ଭାରତରେ କୌଣସି ଟେଷ୍ଟ ସିରିଜ୍ ଡ୍ର’ରେ ସମାପ୍ତ ହୋଇଛି । ଅନ୍ୟପଟେ ବର୍ଡର ଗାଭାସ୍କର ଟ୍ରଫି ଜିତି ଭାରତୀୟ ଦଳ ଦ୍ବିତୀୟ ଥର ପାଇଁ ଡବ୍ଲୁଟିସି ଫାଇନାଲରେ ଏଣ୍ଟ୍ରି କରିଛି । ଚଳିତ ବର୍ଷ ଶେଷ ବେଳକୁ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ଆଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ । ପ୍ରଥମ ଡବ୍ଲୁଟିସି ଫାଇନାଲରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର’ରେ ସମାପ୍ତ ହୋଇଛି । ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ ଶେଷ ହୋଇଛି ।