ଚୟନ ଶିବିରକୁ ଆସି ମହିଳା କ୍ରିକେଟର ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

Published By : Prameya-News7 Bureau | January 13, 2023 IST

କଟକ,୧୩/୦୧: ଓଡ଼ିଶା ମହିଳା କ୍ରିକେଟ୍‌ ସିନିୟର୍‌ ଟିମ୍‌ ଚୟନ ପ୍ରକ୍ରିୟାରେ ବାଦ୍‌ ପଡ଼ିଯିବା ପରେ ହଠାତ୍‌ ଜଣେ ଖେଳାଳି ହୋଟେଲ୍‌ରୁ ନିଖୋଜ ହୋଇଯାଇଛନ୍ତି । ନିଖୋଜ କ୍ରିକେଟିୟର୍‌ ହେଲେ ରାଜଶ୍ରୀ ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ ।

କ୍ୟାମ୍ପରେ ନିଜର ଦକ୍ଷତା ପରୀକ୍ଷା ଦେବାକୁ ଆସି ଟିମ୍‌ରୁ ବାଦ୍‌ ପଡ଼ିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଖବର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମେତ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ ମୋବାଇଲ୍‌ ନମ୍ବର ସୁଇଚ୍‌ଡ୍‌ ଅଫ୍‌ ରହିଥିବା ବେଳେ ତାଙ୍କ କଳା ରଙ୍ଗର ଆକ୍ଟିଭା ସ୍କୁଟି ଏବଂ ହେଲ୍‌ମେଟ୍‌ ଆଠଗଡ଼ ବନଖଣ୍ଡ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରୁ ବ୍ରାହ୍ମଣବସ୍ତ ରାସ୍ତାର ତାଳଧଣ୍ଡି ରାସ୍ତାରେ ଏକ ଜଙ୍ଗଲ ନିକଟରୁ ମିଳିଛି । ଗାଡ଼ି ଏବଂ ହେଲମେଟ୍‌ ମିଳିଥିଲେ ହେଁ ରାଜଶ୍ରୀଙ୍କର ସନ୍ଧାନ ମିଳିପାରିନାହିଁ ।

ରାଜଶ୍ରୀଙ୍କ ପତ୍ତା ନମିଳିବା ଘଟଣା ଓସିଏ କର୍ମକର୍ତ୍ତାଙ୍କୁ ଅଡ଼ୁଆରେ ପକାଇବା ସହ ସାଥୀ ଖେଳାଳି ଏବଂ ପରିବାର ଲୋକଙ୍କୁ ଆଶଙ୍କାରେ ଛନ୍ଦିଛି । ଓସିଏ ପକ୍ଷରୁ ମହିଳା କ୍ରିକେଟ୍‌ ଟିମ୍‌ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ ଗତକାଲି ରାତିରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । ଏତଲା ଆଧାରରେ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଧାଂଶୁ ଜେନା କହିଛନ୍ତି ।

ମହିଳା କ୍ରିକେଟ୍‌ କୋଚ୍‌ ପୁଷ୍ପାଞ୍ଜଳି ଏତଲାରେ ଦର୍ଶାଇଛନ୍ତି, ସିନିୟର ମହିଳା ଟିମ୍‌ ଚୟନ ଲାଗି ଡିସେମ୍ବର ୨୩ରୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ଏକ ପ୍ରଶିକ୍ଷଣ କ୍ୟାମ୍ପ୍‌ ଚାଲିଥିଲା । ଏଥିଲାଗି ମହିଳା କ୍ରିକେଟିୟରମାନେ ଓସିଏ ତତ୍ତ୍ୱାବଧାନରେ ବଜ୍ରକବାଟିସ୍ଥିତ ଏକ ହୋଟେଲ୍‌ରେ ରହୁଥିଲେ । ୩୯ ଜଣ ମହିଳା କ୍ରିକେଟିୟରଙ୍କୁ ନେଇ ଚାଲିଥିବା ଏହି କ୍ୟାମ୍ପରେ ରାଜଶ୍ରୀ ସ୍ୱାଇଁ(୨୬) ମଧ୍ୟ ସାମିଲ୍‌ ଥିଲେ ।

ପ୍ରଥମ ପର୍ଯ୍ୟାୟ ଚୟନରେ ୨୫ ଜଣ ଖେଳାଳିଙ୍କୁ ନିଆଯାଇ ପ୍ରଶିକ୍ଷଣ ଚାଲିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଚୟନରେ ତଥା ଫାଇନାଲ୍‌ ସିଲେକ୍ସନ ଟିମ୍‌ରେ ୧୬ ଜଣଙ୍କୁ ଗତ ମଙ୍ଗଳବାର ଅର୍ଥାତ୍‌ ୧୦ ତାରିଖ ଦିନ ବଛା ଯାଇଥିଲା । ଉକ୍ତ ୧୬ ଜଣିଆ ଦଳରେ ଚୟନ ହୋଇଥିବା ଖେଳାଳିମାନଙ୍କ ତାଲିକା ଗତକାଲି ପ୍ରକାଶ ପାଇଥିଲା । ମାତ୍ର ଏହି ଚୟନ ପ୍ରକ୍ରିୟାରେ ରାଜଶ୍ରୀ ବାଦ୍‌ ପଡ଼ିଥିଲେ । ହୋଟେଲ୍‌ ରୁମ୍‌ରେ ରହୁଥିବା ସାଥୀ ଖେଳାଳି ଏବଂ ଚୟନ ହୋଇଥିବା ଅନ୍ୟ ଖେଳାଳିମାନେ ଗତକାଲି ଡ୍ରିମ୍‌ସ୍‌ ଗ୍ରାଉଣ୍ଡ୍‌କୁ ଖେଳିବାକୁ ଯାଇଥିବା ବେଳେ ରାଜଶ୍ରୀ ଯାଇ ନଥିଲେ ।

ହୋଟେଲ୍‌କୁ ଅନ୍ୟ ଖେଳାଳିମାନେ ଫେରିବା ପରେ ରାଜଶ୍ରୀଙ୍କୁ ନପାଇବାରୁ ସବୁରି ମନରେ ସନ୍ଦେହ ବଢ଼ିଥିଲା । ଅନ୍ୟପକ୍ଷରେ ତାଙ୍କ ମୋବାଇଲ୍‌ ବନ୍ଦ ଥିବାରୁ ପରିବାର ଲୋକଙ୍କ ମନରେ ମଧ୍ୟ ଆଶଙ୍କା ବଢ଼ିଥିଲା । ପରିବାର ପକ୍ଷରୁ ତାଙ୍କ ଭଉଣୀ କୋଚ୍‌ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ବୋଲି ସୂଚନା ମିଳିଛି । ଜଣେ ମହିଳା କ୍ରିକେଟିୟର ଓସିଏର ପ୍ରଶିକ୍ଷଣ ଖେଳାଳି ଚୟନ କ୍ୟାମ୍ପକୁ ଆସି ନିଖୋଜ ହେବା ଘଟଣା ଓସିଏ କର୍ମକର୍ତ୍ତାଙ୍କ ଆଖିରୁ ନିଦ ହଜେଇ ଦେଇଛି । ଆଶଙ୍କା ବଢ଼ିବାରୁ ଶେଷରେ କୋଚ୍‌ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜଶ୍ରୀଙ୍କ ଗାଡ଼ି ଏବଂ ହେଲ୍‌ମେଟ୍‌ ଜଙ୍ଗଲରୁ ମିଳିବା ଘଟଣା ସନ୍ଦେହ ସୃଷ୍ଟି କରିଛି । ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ ହୋଇଥିବା ବେଳେ ସେ ଆଠଗଡ଼ ବନଖଣ୍ଡ ଅଞ୍ଚଳର ଏକ ଜଙ୍ଗଲିଆ ଅଞ୍ଚଳରେ କାହିଁକି ଏବଂ କିପରି ଆସି ପହଞ୍ଚିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । କିଛି ସହଯୋଗୀଙ୍କ କହିବା କଥା, ୧୬ ଜଣିଆ ଟିମ୍‌ରୁ ବାଦ୍‌ ପଡ଼ିବା ପରେ ରାଜଶ୍ରୀ ଘୋର ବିଷାଦ, ଚାପ ଓ ମନସ୍ତାପ ଭିତରେ ଥିଲେ । ଏହି ଖବର ତାଙ୍କୁ ବ୍ୟଥିତ କରିଥିଲା, ଭାଙ୍ଗି ଦେଇଥିଲା ।

ଅପରପକ୍ଷେ ହୋଟେଲ ଛାଡିବା ପୂର୍ବରୁ ରାଜଶ୍ରୀ ତାଙ୍କର ଜଣେ ସାଥୀ ଖେଳାଳିଙ୍କୁ ବାପାଙ୍କ ଦେହ ଖରାପ ଅଛି, ତେଣୁ ଘରକୁ ଯାଉଛି କହିଥିଲେ ବୋଲି ଶୁଣିବାକୁ ମିଳୁଛି । ମାତ୍ର ସେ ଘରକୁ ଯାଇ ନଥିବା ପରିବାର ଲୋକଙ୍କଠାରୁ ପୁଲିସ ସୂଚନା ପାଇଛି । ନିଖୋଜ ରାଜଶ୍ରୀଙ୍କ କଳା ରଙ୍ଗର ହୋଣ୍ଡା ଆକ୍ଟିଭା ଗାଡ଼ିକୁ କପୁରସିଂ ବ୍ରାହ୍ମଣବସ୍ତ ତାଳଧଣ୍ଡି ରାସ୍ତାର ଜଙ୍ଗଲରୁ ଧବଳେଶ୍ୱର ଫାଣ୍ଡି ପୁଲିସ୍‌ ଜବତ କରିଛି । ଏହି ଗାଡ଼ିଟି ଗତକାଲି ରାତିରୁ ଆଜି ରାତି ପର୍ଯ୍ୟନ୍ତ ଥୁଆ ହୋଇଥିଲା । ବନ ବିଭାଗର ଜଣେ ଫରେଷ୍ଟ ଗାର୍ଡ ଗାଡ଼ିଟିକୁ ଗତକାଲି ପ୍ରଥମେ ଦେଖିଥିଲେ ।

ରାଜଶ୍ରୀଙ୍କର କିଛି ସାଥୀ ଖେଳାଳି ଗାଡ଼ି ମିଳିଥିବା ସମ୍ପର୍କରେ ଖବର ପାଇ ଉକ୍ତ ଜାଗାକୁ ଖୋଜାଖୋଜି କରି ଆସିଥିବା ମଧ୍ୟ ଖବର ମିଳିଛି । ଅନ୍ୟପକ୍ଷରେ ଆଜି ରାତି ହୋଇଯିବାରୁ ପୁଲିସ୍‌ ପକ୍ଷରୁ ଗାଡ଼ି ମିଳିଥିବା ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ହାତୀ ଭୟରେ ବେଶୀ ଖୋଜାଖୋଜି କରାଯାଇପାରି ନାହିଁ । ପୁଲିସ ଟିମ୍‌ ଫେରି ଆସିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.