ଦେଶର ପ୍ରତି ଜିଲ୍ଲାରେ ନିର୍ମାଣ ହେବ ପଶୁଙ୍କ ପାଇଁ ଶ୍ମଶାନ, ପରିବେଶ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | September 14, 2022 IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଲମ୍ପି ଭାଇରସର ପ୍ରକୋପ ବଢିବାରେ ଲାଗିଛି । ଭାଇରସ ଯୋଗୁଁ ରାଜସ୍ଥାନ ସହ ଅନ୍ୟ କିଛି ରାଜ୍ୟରେ ପଶୁଙ୍କ ମୃତ୍ୟୁର ଭୟାବହ ଚିତ୍ର ସାମନାକୁ ଆସୁଛି । ପଶୁଙ୍କ ମୃତ୍ୟୁ ମାମଲାକୁ ନଜରରେ ରଖି ଜାତୀୟ ପଶୁ ମଙ୍ଗଳ ବୋର୍ଡ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ମଧ୍ୟମରେ ମୃତ ପଶୁଙ୍କୁ ସମ୍ମାନ ଦିଆଯିବା ଦରକାର ବୋଲି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶୁଙ୍କ ମୃତ ଶରୀରକୁ ଖୋଲାରେ ନ ଫିଙ୍ଗିବାକୁ କୁହାଯାଇଛି । ପଶୁଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ରାଜ୍ୟର ସବୁ ଜିଲ୍ଲାରେ ଅତି କମରେ ଗୋଟିଏ ଶ୍ମଶାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ପଶୁ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଡା. ଓପି ଚୌଧୁରୀ ସବୁ ରାଜ୍ୟକୁ ଜାରି କରିଥିବା ନିଜର ଚିଠିରେ କହିଛନ୍ତି, 'କୌଣସି ପଶୁ ଯେକୌଣସି କାରଣରୁ ଆମ ଜୀବନରେ ଆସିଥାଏ । ସେମାନେ ଆମକୁ ବିନା କୌଣସି ସର୍ତରେ ଭଲ ପାଇବା ଶିଖାଇଥାନ୍ତି, ପ୍ରତିବଦ୍ଧତା ଏବଂ ବିଶ୍ୱସ୍ତ ହେବର ଶିକ୍ଷା ଦେଇଥାନ୍ତି। ସେମାନଙ୍କ ଜୀବନରୁ ଆମେ ଅନେକ କିଛି ଶିଖିଥାଉ । ଏହାପରେ ଦିନେ ସେହି କଠୋର ବାସ୍ତବିକତାର ସାମନା କରିବାକୁ ପଡିଥାଏ, ଯେଉଁଦିନେ ସେମାନେ ପ୍ରାଣ ଛାଡନ୍ତି' ।

ପଶୁଙ୍କ ମୃତ ଶରୀର ସତ୍କାର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ମୃତ ପଶୁଙ୍କ ପାଇଁ ରୋଗ ବ୍ୟାପିବା ରୋକିବା, ପାଣି ଏବଂ ପବନର ଗୁଣ ବତ୍ତା ବଜାୟ ରଖିବା ପାଇଁ ପଶୁଙ୍କ ପୋତିବା କିମ୍ୱା ଜଳିବା ଏକ ଜରୁରୀ ପଦକ୍ଷେପ ବୋଲି ସେ କହିଛନ୍ତି । ଦେଶରେ ଅନେକ ସମୟରେ ପଶୁ ମାଲିକ ମୃତ ପଶୁର ସମ୍ମାନଜନକ ଅନ୍ତିମ ସଂସ୍କାର ଚାହିଁଥାନ୍ତି, କିନ୍ତୁ ଉପଯୁକ୍ତ ସ୍ଥାନ ନଥିବାରୁ ତାହା ସମ୍ଭବ ହୋଇପାରୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.