ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାର୍ଥିବ ଶରୀର, ପୁତୁରା ଦେଲେ ମୁଖାଗ୍ନି

Published By : Prameya-News7 Bureau | February 26, 2022 IST

ଝାରସୁଗୁଡ଼ା, ୨୬/୦୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ହେମାନନ୍ଦଙ୍କୁ ହରାଇ ତାଙ୍କ ନିଜ ଜନ୍ମମାଟି ଠାକୁରପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏଥିସହ ସମଗ୍ର ପଶ୍ଚିମ ଓଡିଶା ନିଜର ପ୍ରିୟ ନେତାଙ୍କୁ ହରାଇ ମର୍ମାହତ ।

ଗତ କିଛିଦିନ ତଳୁ ଅସୁସ୍ଥ ହେବାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ଆରପାରିକୁ ଚାଲିଗଲେ ହେମାନନ୍ଦ ବିଶ୍ୱାଳ । ଏହି ଖବର ପ୍ରଚାରିତ ହେବାମାତ୍ରେ ଝାରସୁଗୁଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ଆଜି ସକାଳୁ ସ୍ବର୍ଗତ ହେମାନନ୍ଦଙ୍କ ମରଶରୀରକୁ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଓ ବିଧାନସଭାକୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା । ପରେ ତାଙ୍କ ମରଶରୀରକୁ ଝାରସୁଗୁଡା ଅଭିମୁଖେ ଏକ ସ୍ୱତନ୍ତ୍ର ସୁସଜ୍ଜିତ ଗାଡ଼ିରେ ପୋଲିସ ପାଟ୍ରୋଲିଂ ସହ ଅଣାଯାଇଥିଲା । ଝାରସୁଗୁଡା ସହରରେ ହେମାନନ୍ଦଙ୍କୁ ଶେଷ ସମ୍ମାନ ଜଣାଇବାକୁ ପହଞ୍ଚିଥିଲେ କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲାକୁମାରଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ।

ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଜସ୍ୱ ଜନ୍ମମାଟି ଠାକୁରପଡାକୁ ନିଆଯାଇଥିଲା। ଠାକୁରପଡାରେ ପହଁଚିବା ପରେ ହେମାନନ୍ଦଙ୍କ ପାର୍ଥିବ ଶରୀରକୁ ଗାଁରେ ପରିଭ୍ରମଣ କରାଯାଇ ଗାଁ ଲୋକଙ୍କ ଶେଷ ଦର୍ଶନର ବ୍ୟବସ୍ଥା କରାଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାର୍ଥିବ ଶରୀର ତାଙ୍କ ନିଜ ଗାଁ ଠାକୁରପଡାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ସରୋଜ ସାମଲ, ଏସପି ବିକାଶ ଦାଶ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କାଙ୍କ ସହ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଓ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଶେଷକୃତ୍ୟରେ ହେମାନନ୍ଦଙ୍କ ପତୁରା ଧୀରେନ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ହେମାନନ୍ଦଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ଆଦିବାସୀ ନେତାଙ୍କ ସହ ଏ ମାଟିର ଏକମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ବୋଲି ଉପସ୍ଥିତ ନେତୃବୃନ୍ଦ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.